ଭୁବନେଶ୍ବର: ରାଜ୍ଯରେ ଡେଙ୍ଗୁ ପରିସ୍ଥିତି ଅସମ୍ଭାଳ । ଡେଙ୍ଗୁ ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ସରକାରଙ୍କ ଉଦାସୀନତା ଉପରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦଳ ପ୍ରଶ୍ନ ଉଠାଇଛି । "ଗଲି ଗଲି ମେ ସୋର ହେ, ଡେଙ୍ଗୁ ବଡା ଜୋର୍ ହେ" କହି ରାଜ୍ୟ ସରକାରଙ୍କୁ ଉପହାସ କରିଛି ବିଜେପି । ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, "ଭୁବନେଶ୍ଵରରେ ଘରେ ଘରେ ଡେଙ୍ଗୁ ରୋଗୀ । ଅଗଷ୍ଟ ମାସରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ସେହିପରି ସେପ୍ଟେମ୍ବରରେ ଆହୁରି ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେବ । ଡେଙ୍ଗୁ ବର୍ତ୍ତମାନ ନିୟନ୍ତ୍ରଣ ବାହାରେ ଥିବାବେଳେ ରାଜ୍ୟ ସରକାର ପଙ୍ଗୁ ହୋଇପଡ଼ିଛନ୍ତି । ଡେଙ୍ଗୁ ପୀଡ଼ିତ ଓ ମୃତ୍ୟୁବରଣ କରିଥିବା ଲୋକଙ୍କ ଜୀବନ କ'ଣ ମୂଲ୍ୟହୀନ ?" ବୋଲି ପ୍ରଶ୍ନ କରିଛନ୍ତି ।
ଏହାସହ ସେ କହିଛନ୍ତି, "ରାଜ୍ୟ ସରକାର ସବୁବେଳେ କୁହନ୍ତି ଯେ, ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ । ହେଲେ ଡେଙ୍ଗୁରେ ଯେଉଁମାନେ ମରିଲେଣି ସେମାନଙ୍କ ଜୀବନ ମୂଲ୍ୟବାନ ନୂହେଁ କି ? ଭୁବନେଶ୍ୱର ଓ କଟକରେ ଡେଙ୍ଗୁର ଭୟଙ୍କର ରୂପ ଦେଖିବାକୁ ମିଳୁଛି । 20ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବାବେଳେ ମଶା ଘରୁ ବାହାରିଲେ ଫାଇନ ଆଦାୟ ହେବ କହି ତୋଗଲକି ଶାସନ କରୁଛି ପ୍ରଶାସନ । ବିଏମ୍ସି ଓ ସିଏମ୍ସି ସ୍ୱାୟତ୍ତ ଶାସନ ବ୍ୟବସ୍ଥା ବାଟବଣା କରିଛନ୍ତି । ଡେଙ୍ଗୁ ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ସମୟରେ ଆସେ । ତାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଏ । କିନ୍ତୁ ସରକାର କିଛି କଲେ ନାହିଁ । ନେଡି ଗୁଡ କହୁଣିକୁ ବୋହିଲା ପରେ ପଳାୟନପନ୍ଥୀ ସାଜିଲେ ସରକାର ।"
ଏହା ବି ପଢନ୍ତୁ...ଡେଙ୍ଗୁ ହଟସ୍ପଟ ଭୁବନେଶ୍ବର: ଚାପରେ କ୍ୟାପିଟାଲ ହସ୍ପିଟାଲ, ବଢିବ ବେଡ୍ ସଂଖ୍ୟା