ଭୁବନେଶ୍ବର:'ଜାଗା ମିଶନ' ନେଇ ପୁଣି ଥରେ BMCକୁ ଟାର୍ଗେଟ କରିଛି ବିଜେପି । ଏପରିକି କମିଶନରଙ୍କ ବିରୋଧରେ ଠକେଇ ଅଭିଯୋଗ କରି ମାମଲା ରୁଜୁ କରିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, 'ଜାଗା ମିଶନ' ନାଁରେ ବସ୍ତି ବାସିନ୍ଦାଙ୍କୁ ଭୂଆଁ ବୁଲାଉଛି BMC । ସରକାର ତା'ର ନୈତିକତା ହରାଇଛି । ଜମି ଅଧିଗ୍ରହଣର ପ୍ରମାଣ ପତ୍ର ଦେଇ ସରକାର କହୁଛନ୍ତି ଏହା ହେଉଛି ଜମି ପଟ୍ଟା। ଏନେଇ କମିଶନରଙ୍କ ବିରୋଧରେ ମାମଲା ରୁଜୁ କରି କାଠଗଡା଼କୁ ଟଣାଯିବ।" ଏହିପରି ଭାବେ ସର୍ଭେକୁ ନେଇ ପ୍ରଶ୍ନ ଉଠାଇବା ସହ ବିଏମସି କମିଶନର ଏବଂ ମେୟରଙ୍କ ଉପରେ ବର୍ଷିଛି ବିଜେପି ।
"ପ୍ରତି ନିର୍ବାଚନ ପୂର୍ବରୁ ସର୍ଭେ ହେଉଛି । ପୂର୍ବରୁ 3ଟି ସର୍ଭେ କରି ବସ୍ତିବାସିନ୍ଦାଙ୍କୁ ଟୋକନ ବାଣ୍ଟିଲେ । ଏବେ ପୁଣି ଡ୍ରୋନ ସର୍ଭେ କରି ପ୍ରମାଣ ପତ୍ର ବାଣ୍ଟିଲେ। ଯଦି ଏହି ସର୍ଭେ ଠିକ ତାହେଲେ ପୂର୍ବରୁ 3ଟି ସର୍ଭେର ଆବଶ୍ୟକତା କ'ଣ ଥିଲା?" ବୋଲି ପ୍ରଶ୍ନ କରିଛି ବିଜେପି। "ଅର୍ଥାତ ସର୍ଭେ ନାଁରେ ପ୍ରଚୁର ଟଙ୍କା ଅପଚୟ କରାଯାଇଥିବା ବେଳେ ଏହା ପଟ୍ଟା ନା ଜମି ଅଧିକାର ପ୍ରମାଣପତ୍ର ସେନେଇ ଏବେ ଯାଏଁ ସ୍ପଷ୍ଟ କଲାନି BMC । ସେପଟେ ଏହି ପଟ୍ଟାକୁ ବ୍ଯାଙ୍କରେ ରଖି ଲୋନ୍ ନେଇପାରିବେ ବୋଲି ବିଏମସି କହିଥିବାବେଳେ ଲୋକମାନେ ଏହାକୁ ବ୍ୟାଙ୍କରେ ଦେଲେ ବ୍ୟାଙ୍କ ଋଣ ପାଇଁ ଗ୍ରହଣ କରୁନାହିଁ" ବୋଲି କହି ବର୍ଷିଛି ବିଜେପି ।
"ଗୋଟିଏ ସାଧା କାଗଜ ଦେଇ ଭଣ୍ଡାଉଛନ୍ତି ଏବଂ ବିଭ୍ରାନ୍ତକର ତଥ୍ୟ ଦେଉଛନ୍ତି କମିଶନର । ଯେଉଁ ଜମିରେ ଋଣ ହେବନି ସେହି ଗୋଚର ଜମିରେ ପ୍ରମାଣ ପତ୍ର ଦେଇଛନ୍ତି । 20 ଫୁଟ ରୋଡ ନହେଲେ ପ୍ଳାନ ଆପ୍ରୁଭାଲ ହେବ ନାହିଁ ଏଠି ପ୍ଳାନ ଆପ୍ରୁଭଲ କେମିତି ଦେବ ? ବିଏମ୍ସି ଖାଲି ଜମି ଦେଲେ, ହେଲେ ରାସ୍ତା ପାଇଁ ଜମି ଦେଲେ ନାହିଁ । ପ୍ରମାଣ ପତ୍ର ଦେଇ ପୁଣି ନିଜେ BMC ଘର ଭାଙ୍ଗୁଛି । ଅର୍ଥାତ ନିଜେ ଦେଇଥିବା ପ୍ରମାଣ ପତ୍ରକୁ ନିଜେ BMC ଜାଣି ପାରୁନି । ତାହେଲେ ବ୍ୟାଙ୍କ କେମିତି ବୁଝିବ ?" ପ୍ରଶ୍ନ କରିଛି ବିଜେପି ।