ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ବାରମ୍ବାର ଅଭିଯୋଗ କରୁଛି ବିଜେପି । ତେବେ ରାଜ୍ୟରେ ବର୍ତ୍ତମାନର ଆଇଶୃଙ୍ଖଳା ପରିସ୍ଥତି ତଥା ନବ ଦାସ ହତ୍ୟାକାଣ୍ଡ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।
ବିଜେପି କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ଲେଖାଶ୍ରୀ କହିଛନ୍ତି, "ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାରୀର ଖୁଲାସା କେବେ କରିବେ ସରକାର ? ଏହି ହତ୍ୟା ଘଟଣାକୁ ଚାପି ଦେବା ପାଇଁ ସରକାର ଓ ପୋଲିସ ଷଡ଼ଯନ୍ତ୍ର କରୁଛନ୍ତି । ଗୋପାଳ ପଛରେ କିଏ ଅଛି ଯେଉଁ ପ୍ରଶ୍ନ ଉଠିଛି ତାହାର ଉତ୍ତର କେବେ ସାମ୍ନାକୁ ଆସିବ ? ନବ ଦାସଙ୍କ ହତ୍ୟାକାଣ୍ଡକୁ ବାଟବଣା କରିବାକୁ ବିଜୁ ଜନତା ଦଳ ଚେଷ୍ଟା ନକରୁ । ଘଟଣାକୁ ଚପେଇବା ପାଇଁ ଥାଇଲାଣ୍ଡରେ ବସି ନୂଆ ସ୍କ୍ରିପ୍ଟ ଲେଖୁଥିବା କ୍ରାଇମବ୍ରାଞ୍ଚ ଅଧିକାରୀ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣି ପାରିବେନି । ତେଣୁ ଏହି ଘଟଣା ସିବିଆଇକୁ ଦିଆଯାଉ । ଆଉ ବିଜୁ ଜନତା ଦଳର କର୍ମୀମାନେ ଯଦି ଚାହୁଁଛନ୍ତି ନବ ଦାସ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ତେବେ ସେମାନେ ବି CBI ତଦନ୍ତ ଦାବି କରନ୍ତୁ ।"
ସମ୍ବଲପୁର ଧନୁପାଲି IIC ଅନିତା ପ୍ରଧାନ ସର୍ଭିସ ରୁଲ ଭାଙ୍ଗି ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ଓ ବିରୋଧି ଦଳ ନେତାଙ୍କୁ ଦୁର୍ବ୍ୟବହାର କରିଥିବାରୁ ତାଙ୍କୁ ଗିରଫ କରଯାଉ ବୋଲି ଦାବି କରିଛନ୍ତି ଲେଖାଶ୍ରୀ । ଅରୂପ ପଟ୍ଟନାୟକ ବିରୋଧି ଦଳ ନେତାଙ୍କୁ ହତ୍ୟା ଧମକ ଦେଇଥିବାରୁ ତାଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ସେ କହିଛନ୍ତି । ଲେଖାଶ୍ରୀ କହିଛନ୍ତି, "ନବ ଦାସ ହତ୍ୟାକାଣ୍ଡ ପଛର ଲୋକମାନେ ବିଜୁ ଜନତା ଦଳ ଭିତରେ ଅଛନ୍ତି । କ୍ରାଇମବ୍ରାଞ୍ଚ ପାଖରେ କିଛି ପ୍ରମାଣ ନଥିଲା ଭଳି ଚୁପ ବସିଯାଇଛି । ଘଟଣାକୁ ଚପେଇବା ପାଇଁ ନୂଆ କାହାଣୀ ଲେଖାଯାଉଛି । ଏହି ହତ୍ୟାକାଣ୍ଡର ଚର୍ଚ୍ଚା ନହେଉ ବୋଲି ବିଜୁ ଜନତା ଦଳ ଯୋଜନା କରିଛି । ବିଜୁ ଜନତା ଦଳ ପାଇଁ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ହେଲାନି । ବିରୋଧୀ ଦଳ ନେତାଙ୍କୁ ଜାଣିଶୁଣି ବିବାଦ ଭିତରକୁ ଟଣାଯାଉଛି ।"