ଭୁବନେଶ୍ବର: ଗାଡ଼କଣାସ୍ଥିତ ଅସ୍ଥାୟୀ ଅଳିଆଗଦାକୁ ଉଠାଇବା ପାଇଁ ବିଜେପି ସତ୍ୟାଗ୍ରହରେ ବସିଥିବାବେଳେ ଏହା ଆଜିକୁ ୧୫ ଦିନରେ ପହଞ୍ଚିଛି । ସାଧାରଣ ଜନତାଙ୍କ ସ୍ବାର୍ଥ ପାଇଁ ଜିଲ୍ଲା ବିଜେପି ତରଫରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହ ବର୍ତ୍ତମାନ ଭୁବନେଶ୍ବରରେ ଏକ ଜନଆନ୍ଦୋଳନରେ ପରିଣତ ହୋଇଥିବାବେଳେ ବିଏମ୍ସି ନିଦାବିଷ୍ଣୁ ସାଜିଥିବା ଅଭିଯୋଗ କରିଛି ବିଜେପି । ତେଣୁ ଅଳିଆଗଦା ନଉଠିବା ଯାଏଁ ଆନ୍ଦୋଳନକୁ ଆଗକୁ ତ୍ଵରାନିତ୍ଵ କରିବା ସହ ଏଭଳି ସତ୍ୟାଗ୍ରହରେ ବସି ରହିବ ବୋଲି ପଣ କରିଛି ଭୁବନେଶ୍ବର ଜିଲ୍ଲା ବିଜେପି ।
ଏହାରି ଭିତରେ ସୋମବାର ଅଳିଆ ଗଦା ବୁଲିଛନ୍ତି ବିଜେପି ବିଧାୟକ ମୋହନ ମାଝୀ । ଅଳିଆ ଗଦା ବୁଲିବା ସହ ସେଠାକାର ପୂତିଗନ୍ଧମୟ ପରିବେଶକୁ ବୁଲି ଦେଖିଛନ୍ତି ଆଉ ସେଭଳି ଅସ୍ବାସ୍ଥ୍ୟକର ପରିବେଶରେ କାର୍ଯ୍ୟ କରୁଥିବା ବିଏମ୍ସିର କର୍ମଚାରୀଙ୍କ ସହ କଥା ହୋଇଛନ୍ତି । ତେବେ ଅଳିଆର ପାହାଡ କେବେ ଉଠିବ ଜଣାନଥିବା ବେଳେ ସୁରକ୍ଷିତ ଓ ସତର୍କ ରହି ସେଠାରେ କାର୍ଯ୍ୟକରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ବିଧାୟକ । ଏହି ପରିଦର୍ଶନ ବେଳେ ବିଧାୟକ କହିଛନ୍ତି, "ଭାରତ ସରକାରଙ୍କ ପକ୍ଷରୁ ଭୁବନେଶ୍ବରକୁ ସ୍ମାର୍ଟ ସିଟି କରିବା ପାଇଁ ଅର୍ଥର ବ୍ୟବସ୍ଥା କରାଯାଇଥିବା ବେଳେ ବିଶେଷ ଭାବେ ସ୍ବଚ୍ଛତାକୁ ନେଇ ଭାରତ ବର୍ଷ ସମେତ ବିଶ୍ବରେ ଭୁବନେଶ୍ବରର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ହେଲେ ସେହି ଭୁବନେଶ୍ବରରେ ବର୍ଜ୍ୟବସ୍ତୁ ପରିଚାଳନା ଫେଲ ମାରିଛି । ଭୁଶୁଡି ଯାଇଛି ବିଏମ୍ସିର ସ୍ବଚ୍ଛତା ବ୍ୟବସ୍ଥା । ବର୍ଜ୍ୟ ପରିଚାଳନାରେ ବିଏମ୍ସି ଫେଲ୍ ମାରିଥିବା ବେଳେ ଅସ୍ଥାୟୀ ଅଳିଆଗଦା ଏବେ ସ୍ଥାୟୀରେ ପରିଣତ ହୋଇଛି ।"