ଭୁବନେଶ୍ବର: ବିଭିନ୍ନ କଳ କାରଖାନା ଓ ଶିଳ୍ପ ଗୁଡିକ ବେଆଇନ ଭାବେ ନଦୀ ଗୁଡ଼ିକରୁ ଆବଶ୍ୟକ ଠାରୁ ଅଧିକ ଜଳ ଶୋଷି ନେଉଛନ୍ତି । ସେପଟେ ମାଫିଆ ମାନେ ମଧ୍ୟ ବେଆଇନ ଭାବରେ ବିଭିନ୍ନ ନଦୀ ପଠାରୁ ବାଲି ଚାଲାଣ କରୁଛନ୍ତି । ଏହାକୁ ସରକାର ତୁରନ୍ତ ରୋକିବାକୁ ବିଜେପି ନଦୀ ସୁରକ୍ଷା ସମିତି ପକ୍ଷରୁ ଏକ ଦାବିପତ୍ର ଆଜି ରାଜ୍ୟପାଳଙ୍କୁ ଦିଆଯାଇଛି । ଯଦି ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନନିଅନ୍ତି, ତେବେ ବିଜେପି ନଦୀ ସୁରକ୍ଷା ସମିତି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।
ଏନେଇ ରାଜ୍ୟ ବିଜେପି ନଦୀ ସୁରକ୍ଷା ସମିତି ସଭାପତି ମହେଶ୍ବର ସାହୁ କହିଛନ୍ତି, "ଓଡିଶାରେ ରାଜ୍ୟ ସରକାର ସମସ୍ତ ନଦୀର ପାଣିକୁ କଳ କାରଖାନା ମାଲିକ ମାନଙ୍କ ହାତରେ ଟେକି ଦେଇଛନ୍ତି । ଯାହାଦ୍ବାରା ରାଜ୍ୟର ପ୍ରମୁଖ ନଦୀ ଗୁଡ଼ିକ ଶୁଖି ଗଲାଣି । ଜୀବଜନ୍ତୁ ଓ ଲୋକମାନେ ହଇରାଣ ହେଉଛନ୍ତି । ନଦୀ ଗୁଡ଼ିକର ବାଲିକୁ ବାଲି ମାଫିଆ ମାନଙ୍କ ଦ୍ବାରା ସରକାରୀ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ଖୁଲମଖୁଲା ଲୁଟ କରୁଛନ୍ତି । ସରକାରୀ ଅଫିସର ମାନେ କାର୍ଯ୍ୟାନୁଷ୍ଠାନ ନେଲେ ସେମାନଙ୍କୁ ଗୁଣ୍ଡା ଲଗାଇ ଆକ୍ରମଣ କରାଯାଉଛି । ନଦୀ ଗୁଡ଼ିକର ସୁରକ୍ଷା ପାଇଁ ବିଜେପି ନଦୀ ସୁରକ୍ଷା ସମିତି ବ୍ୟାପକ ଆନ୍ଦୋଳନ କରିବ ଏବଂ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହେବ । ଏହି ବାଲି ଚୋରାଚାଲାଣକୁ ନେଇ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ନିକଟରେ କେନ୍ଦୁଝରରେ ଜଣେ ମହିଳାଙ୍କୁ ମାରି ଦିଆଗଲା । ସାରା ରାଜ୍ୟରେ ବାଲି ଚୋରା କାରବାର ବ୍ୟାପକ ଭାବରେ ଚାଲିଛି ।" ବିଜେପି ସବୁ ଜିଲ୍ଲାସ୍ତରରେ ଏବଂ ତହସିଲସ୍ତରରେ ଦାବି କଲା ପରେ ମଧ୍ୟ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି କହିଛନ୍ତି ମହେଶ୍ବର ।