SCB Power supply Issue: ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି ଭୁବନେଶ୍ବର: କଟକ ବଡ଼ ମେଡିକାଲ ତଥା ରାଜ୍ୟର ପ୍ରମୁଖ ମେଡିକାଲ ଏସସିବି ମେଡିକାଲରେ ବିଦ୍ୟୁତ ବିଭ୍ରାଟ ପରେ ଆଜି ଦେଖାଦେଇଛି ପାଣି ସମସ୍ୟା । ଶନିବାର ଦୀର୍ଘ 9 ଘଣ୍ଟା ପରେ ବିଦ୍ୟୁତ ଆସିଥିବା ବେଳେ ଆଜି ସକାଳୁ ମିଳୁନି ପାଣି । ରୋଗୀ ହନ୍ତସନ୍ତ ପରେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଛି ବିଜେପି । ନୈତିକତା ଦୃଷ୍ଟିରୁ ଉଭୟ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।
ଏନେଇ ମନୋଜ କହିଛନ୍ତି, "ଆଜି ଏସସିବି ଆଖିରେ ଲୁହ । ମେଡ଼ିସିନ, ନିଦାନ ବିଭାଗରେ ଲାଇଟ ନାହିଁ । ଗତକାଲି ଠାରୁ ପାଣି ମଧ୍ୟ ନାହିଁ । ରାଜ୍ୟର ଶାସନ ବ୍ୟବସ୍ଥା କେଉଁଠି ଅଛି ? ଉପାନ୍ତ ଅଞ୍ଚଳରେ କ୍ୟାଣ୍ଡେଲ ଲାଇଟରେ ଉପଚାର କଥା ଦେଖୁଥିଲୁ । ଯଦି ଏସସିବିର ଅବସ୍ଥା ଏଭଳି ଏହା ରାଜ୍ୟର ସ୍ଵାସ୍ଥ୍ୟ ବ୍ୟବସ୍ଥା କଣ ତାହା ଏସସିବି ଜଣାଇ ଦେଉଛି । ନୈତିକତା ଦୃଷ୍ଟିରୁ ଶକ୍ତି ମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଦେବା ଉଚିତ୍ । ଯେବେଠୁ ଅମଲା ଶାସନ ଚାଲିଛି ସେବେଠୁ ରାଜ୍ୟରେ ଏଭଳି ଅବସ୍ଥା । ରାଜ୍ୟରେ ବିଜୁଳି ଶାସନ ଗଲାଣି ହୁଗୁଳି । ଏହାର ଜ୍ୱଳନ୍ତ ଉଦାହରଣ କଟକ ଏସସିବି ମେଡିକାଲ ।"
ଏହା ବି ପଢନ୍ତୁ- ଦିନରେ ଅନ୍ଧାର ହୋଇଗଲା ଏସିବି, ରୋଗୀ ହନ୍ତସନ୍ତ
ଗତକାଲି ବିଭିନ୍ନ ୱାର୍ଡରେ ଲାଇନ ନ ଥିବା ବେଳେ ମୋବାଇଲ ଏବଂ ଟର୍ଚ୍ଚ ଲାଇଟରେ ଚିକିତ୍ସା କରାଯାଉଛି । ଏହା ପ୍ରକୃତରେ ବିଜୁଳି ବିଭ୍ରାଟ ନା ଜାଣିଶୁଣି ଲାଇନ କଟାଯାଉଥିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି ବିଜେପି କହିଛି । ସେପଟେ ରାଜ୍ୟ ସରକାର କହୁଛନ୍ତି SCB ବିଶ୍ବସ୍ତରୀୟ ମେଡିକାଲ ହେବ । ଯାହା 3ଦିନ ହେଲା ଲାଇନ ନାହିଁ ବଡ ମେଡିକାଲରେ । ଶକ୍ତି ମନ୍ତ୍ରୀ ଜବାବ ଦିଅନ୍ତୁ । କଣ ପାଇଁ ଲାଇନ ନାହିଁ । ମୁଖମନ୍ତ୍ରୀ ନିଦାବିଷ୍ଣୁ ପାଲଟିଛନ୍ତି । କେବେ ଦାୟିତ୍ଵ ନେବେ । ବିଜେଡି ଏହାକୁ ଭଲ ଭାବରେ ଦେଖୁ । ନିଜେ ପ୍ରସ୍ତାବ ଦେଉ ଯେ ରାଜ୍ୟରେ ଏଭଳି ବ୍ୟବସ୍ଥା ହୋଇଛି ଏଥିପାଇଁ ଦାୟୀ କିଏ । ବିଜେଡି ହୃଦୟଙ୍ଗମ କରିବା ଉଚିତ ବୋଲି କହିଛି ବିଜେପି ।
ଏହା ବି ପଢନ୍ତୁ- ଏସସିବିରେ ସୀମା ଟପୁଛି ଦୁର୍ବ୍ୟବହାର, ଅଧିକ୍ଷକଙ୍କୁ ଭେଟିଲା କଂଗ୍ରେସ
ମନୋଜ ଆହୁରି କହିଛନ୍ତି, "ବିଜୁଳି ସମସ୍ୟା ଓଡ଼ିଶାରେ କାୟା ବିସ୍ତାର କରୁଥିବାବେଳେ ଶକ୍ତିମନ୍ତ୍ରୀ କହିଥାନ୍ତି, ‘ଓଡ଼ିଶାରେ ବିଜୁଳି ସମସ୍ୟା ନାହିଁ’ । ତାହାଲେ ଗତ ୨ଦିନ ହେଲା ଏସସିବି ମେଡିକାଲରେ ବିଜୁଳି ସମସ୍ୟା କିପରି ସୃଷ୍ଟି ହେଲା ଏହାର ଉତ୍ତର ଦେବେ କି ରାଜ୍ୟ ସରକାର ? କେନ୍ଦ୍ର ସରକାର ଜଳ ଜୀବନ ମିଶନରେ ସମସ୍ତଙ୍କୁ ପାଣି ଯୋଗାଉଥିବାବେଳେ ମେଡିକାଲ କଲେଜରେ ପାଣି ଟୋପେ ପାଇଁ ଡହଳ ବିକଳ ହେବାକୁ ପଡୁଛି । ଓଡ଼ିଶାରେ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ନବୀନ ବାବୁ ତତ୍ପରତା ବୋଲି ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଡିଣ୍ଡିମ ପିଟୁଛନ୍ତି । ପାଣି ନାହିଁ, ବିଜୁଳି ନାହିଁ ଏମିତି ବିଶ୍ବସ୍ତରୀୟ ମେଡିକାଲ କଲେଜ ଆମର ଦରକାର ନାହିଁ ।"
ଇଟିଭି ଭାରତ, ଭୁବନେଶ୍ବର