ଭୁବନେଶ୍ବର:ଆଇଟି ମନ୍ତ୍ରୀ ଓ ସଚିବଙ୍କ ବିଦେଶ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । "ବର୍ତ୍ତମାନ ପର୍ଯ୍ୟନ୍ତ ବାସ୍ତବିକ ସ୍ତରରେ ସିଧାସଳଖ କେତେ ଟଙ୍କାର ପୁଞ୍ଜିନିବେଶ ଆସିଛି ସେନେଇ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ" ବୋଲି ବିଜେପି ଦାବି କରିଛି । ଆଇଟି ମନ୍ତ୍ରୀଙ୍କ ନେତୃତ୍ୱରେ କ୍ରୀଡ଼ା ସଚିବ, 5T ସଚିବ ଏବଂ ଆଇଟି ସଚିବଙ୍କୁ ନେଇ ଗଠିତ ଏକ ଟିମ୍ ବିଦେଶୀ ପୁଞ୍ଜି ଆଣିବା ପାଇଁ ଆମେରିକା ଯାଇଛନ୍ତି ।
ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଯତୀନ ମହାନ୍ତି କହିଛନ୍ତି, "ଏହା ପୂର୍ବରୁ ଗତ 2-3 ବର୍ଷ ଭିତରେ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଟିମ୍ ବିଦେଶ ଯାଇଛନ୍ତି । କେତେବେଳେ କୃଷି ତ କେତେବେଳେ ଶିଳ୍ପରେ ପୁଞ୍ଜି ନିବେଶ ପାଇଁ ବିଦେଶ ଗସ୍ତ କରିଛନ୍ତି । ସରକାରଙ୍କ ଟିମ୍ ଇଟାଲି, ଜାପାନ, ଇସ୍ରାଏଲ ଭଳି ଦେଶକୁ ଯାଇଥିବାର ନଜିର ରହିଛି । ତେବେ ମନ୍ତ୍ରୀ, ସଚିବଙ୍କ ବିଦେଶ ଗସ୍ତ ପାଇଁ ଗରିବ ଟିକସ ଦାତାଙ୍କର କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି । ବିଦେଶୀ ପୁଞ୍ଜି ଆଣିବା ନାଁରେ ବିଳାସପୂର୍ଣ୍ଣ ହୋଟେଲମାନଙ୍କରେ ବୈଠକ ବି ହୋଇଛି । କିନ୍ତୁ ରାଜ୍ୟକୁ କେତେ ପଇସା ବିଦେଶୀ ପୁଞ୍ଜିନିବେଶ ଆସିଛି ? ଗୋଟିଏ ଟଙ୍କା ବି ଆସିନଥିବାବେଳେ ସବୁଥର ମନ୍ତ୍ରୀ, ସଚିବମାନେ ଫେରିଲା ପରେ ସରକାରଙ୍କ ପକ୍ଷରୁ ପ୍ରେସ୍ ରିଲିଜ୍ ଦିଆଯାଉଛି ଯେ କୋଟିକୋଟି ଟଙ୍କାର ପୁଞ୍ଜି ନିବେଶ ଆସିବ । କିନ୍ତୁ ଆଜି ଯାଏଁ ଗୋଟିଏ ଟଙ୍କା ବି ଆସିନାହିଁ ।"
ଏହାସହ "କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଫିସରମାନଙ୍କୁ ଖୁସି କରିବା ପାଇଁ ବିଦେଶ ବୁଲା ଓ ମଜଲିସର ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । କେତେବେଳେ ମୁଖ୍ୟମନ୍ତ୍ରୀ ପୋପ୍ଙ୍କୁ ଭେଟୁଛନ୍ତି ତ କେତେବେଳେ ଅନ୍ୟ ମନ୍ତ୍ରୀମାନେ ଯାଇ ବିଳାସ ବ୍ୟସନ କରି ଫେରୁଛନ୍ତି । ସରକାର ଯଦି ଏଭଳି ବିଦେଶ ଗସ୍ତର ଆୟୋଜନ କରୁଛନ୍ତି, ତେବେ ଏଥିରେ କେତେ ଟଙ୍କା ଖର୍ଚ୍ଚ ହେଉଛି ? ଏହାଦ୍ବାରା ରାଜ୍ୟର କ'ଣ ଲାଭ ହେଉଛି ? ବିଦେଶ ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହେଲା ଓ କେତେ ପୁଞ୍ଜିନିବେଶ ଆସିଲା ?" ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଯତୀନ ମହାନ୍ତି।