ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଦେଶବ୍ୟାପୀ ମହା ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛି ବିଜେପି । ଏହି କାର୍ଯ୍ୟକ୍ରମରେ ଦଳର କେନ୍ଦ୍ର ନେତୃତ୍ବ ଓ କେନ୍ଦ୍ରମନ୍ତ୍ରୀ ମାନେ ଯୋଗଦେଇ ଲୋକଙ୍କୁ ମୋଦି ସରକାରଙ୍କ ସଫଳତା ଓ ଲୋକାଭିମୁଖୀ ଯୋଜନା ବିଷୟରେ ବୁଝାଉଛନ୍ତି । ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ନେତୃତ୍ବ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ଆସିଥିବା ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବାବୁଭାଇ ଜେବାଲିଆ ମଧ୍ୟ ଓଡ଼ିଶା ସରକାରକୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାର ଚାଷୀଙ୍କୁ ଭୋଟ ଆଗରୁ ପ୍ରତିଶୃତି ଓ ଭୋଟ ସରିବା ପରେ କେବଳ ପ୍ରତାରଣା ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଜେବାଲିଆ କହିଛନ୍ତି, "୨୦୧୪ ପରଠାରୁ ଏମ୍ଏସ୍ପି ବଢ଼ାଇଛନ୍ତି କେନ୍ଦ୍ର ସରକାର । ଏବେ ଧାନ କ୍ବିଣ୍ଟାଲ ପିଛା ୨୧୮୩ରେ ପହଞ୍ଚଛି । ମୋଦି ସରକାର କୃଷକ ମାନଙ୍କୁ ସବୁ ପ୍ରକାର ସହାୟତା ଦେଉଛନ୍ତି । ବର୍ଷକୁ କୃଷକଙ୍କୁ ୬ ହଜାର ଲେଖାଏଁ ଦେଉଛନ୍ତି ମୋଦି ସରକାର । ହେଲେ ରାଜ୍ୟ ସରକାର ଚାହୁନାହାନ୍ତି ଯେ ସବୁ ଚାଷୀ ସହାୟତା ପାଆନ୍ତୁ । ରାଜ୍ୟ ସରକାର ଚାଷୀଙ୍କୁ କାଳିଆ ଯୋଜନାରେ ୧୦ ହଜାର କହିଥିଲେ, ହେଲେ ମାତ୍ର ୪ ହଜାର ଦେଲେ । ଏବେ ୪ ବର୍ଷରେ ବାକିଥିବା ୨୪ ହଜାର ଟଙ୍କା ସବୁ ଚାଷୀଙ୍କୁ ଦିଅନ୍ତୁ ସରକାର । ୩୫% ଜଳସେଚନ ଦେବାକୁ କହିଥିଲେ, ହେଲେ ଏଯାଏଁ ସରକାର ତାହା କରିପାରିଲେ ନାହିଁ । ଏହା କଣ ନିର୍ବାଚନୀ ଘୋଷଣା ଥିଲା କି ? ସବୁ ବ୍ଲକ ଏବଂ ଜିଲ୍ଳାରେ ଶୀତଳ ଭଣ୍ଡାର କହିଥିଲେ, କଲେ ନାହିଁ । ଚାଷୀଙ୍କୁ ପ୍ରତାରଣା କଲେ ।" ବିଜୁ ଜନତା ଦଳର ଏହି ସରକାର କେବଳ ଚାଷୀଙ୍କୁ ଭୋଟ ଆଗରୁ ପ୍ରତିଶୃତି ଓ ଭୋଟ ସରିବା ପରେ ପ୍ରତାରଣା ଦେଇ ଆସିଛି ବୋଲି ସେ ଅଭିଯୋଗ କରିଛନ୍ତି ।