ଭୁବନେଶ୍ବର: ଆବାସ ଯୋଜନା ତାଲିକା ପ୍ରକାଶ ପାଇବା ପରେ ରାଜ୍ୟରେ ଘନଉଛି ବିବାଦ । ପ୍ରତ୍ୟେକ ଗାଁରେ ଅସନ୍ତୋଷ ଦେଖିବାକୁ ମିଳୁଛି । ତାଲିକାରେ ନାଁ ନଥିବାରୁ ନିଜକୁ ଯୋଗ୍ୟ ହିତାଧିକାରୀ ଭାବୁଥିବା ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏହାକୁ ନେଇ ଆସନ୍ତା ଫେବୃୟାରୀ ୧ ତାରିଖରେ ଭାରତୀୟ ଜନତା ପାର୍ଟି ରାଜ୍ୟର ସମସ୍ତ ୩୧୪ ବ୍ଲକ ଘେରାଉ କରିବ ବୋଲି ଘୋଷଣା କରିଥିଲା । ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ତିନି ଦିନିଆ ରାଜ୍ୟ ଶୋକ ପାଳନ କରାଯାଉଥିବାରୁ ବିଜେପି ନିଜର ଆନ୍ଦୋଳନକୁ ବାତିଲ କରିଛି ।
୧ ତାରିଖରେ ଆନ୍ଦୋଳନ ହେବାକୁ ଥିବାବେଳେ ଏହାକୁ ଘୁଞ୍ଚାଇ ଦିଆଯାଇଛି । ୧ ତାରିଖ ବଦଳରେ ଆସନ୍ତା ୨ରୁ ୪ ତାରିଖ ଯାଏଁ ବ୍ଲକ ଘେରାଉ କରିବ ବିଜେପି । ଏଥିରେ ସମସ୍ତ ବିଜେପି କର୍ମୀଙ୍କ ସହ ଯୋଗ୍ୟ ହିତାଧିକାରୀ ସାମିଲ ହେବେ । ରାଜ୍ୟ ଶୋକକୁ ସମର୍ଥନ ଜଣାଇ ଏହାକୁ ବାତିଲ କରାଯାଇଥିବା ଆଜି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାସହିତ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାକୁ ନେଇ ବିଜେପି ନେତା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଯଦି ଜଣେ ମନ୍ତ୍ରୀଙ୍କୁ ଦିନ ଦ୍ବିପ୍ରହରରେ ସର୍ବସାଧାରଣ ସ୍ଥାନରେ ହତ୍ୟା କରାଯାଇପାରୁଛି ତାହାହେଲେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ତାହା ଏଥିରୁ ଅନୁମେୟ ବୋଲି କହିଛନ୍ତି ।