ଓଡିଶା

odisha

By

Published : Aug 13, 2023, 2:18 PM IST

ETV Bharat / state

2024 ନିର୍ବାଚନ ପାଇଁ ସଜବାଜ, କୋଣାର୍କରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ

କୋଣାର୍କରେ ରାଜ୍ୟ ବିଜେପି ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଆୟୋଜନ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତିଙ୍କ ସମେତ ବିଜେପିର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସାମିଲ ରହି ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

କୋଣାର୍କରେ ବିଜେପି ପକ୍ଷରୁ ପ୍ରଶିକ୍ଷଣ ଶିବିର
କୋଣାର୍କରେ ବିଜେପି ପକ୍ଷରୁ ପ୍ରଶିକ୍ଷଣ ଶିବିର

କୋଣାର୍କରେ ବିଜେପି ପକ୍ଷରୁ ପ୍ରଶିକ୍ଷଣ ଶିବିର

ପୁରୀ:କୋଣାର୍କ ରାଜ୍ୟ ବିଜେପି ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ବିଜେପିର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କୁ ନେଇ ଏହି ଦୁଇ ଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ବିଜେପି ଦଳର ଇତିହାସ, ଏହାର ଲକ୍ଷ୍ୟ, ପଞ୍ଚାୟତ ସ୍ତରରେ କେନ୍ଦ୍ର ସରକାରଙ୍କ ଯୋଜନାକୁ କିଭଳି ଠିକ ଭାବରେ ପହଞ୍ଚାଯାଇପାରିବ ସେନେଇ ଶିବିରରେ ଆଲୋଚନା ହୋଇଛି । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅଶ୍ୱିନୀ ଚୌବେ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ବିଜେପିର ବହୁ ବରିଷ୍ଠ ନେତା ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଯେଭଳି ବାଟମାରଣା ନହୁଏ ସେନେଇ ଆଲୋଚନା କରିଥିଲେ ।

କିଭଳି ଜନସାଧାରଣଙ୍କ ଉନ୍ନତି ହୋଇପାରିବ, ବିଜେପି ସରକାର ପ୍ରତି ଲୋକଙ୍କ ଆସ୍ଥା ବଢିବ ଏବଂ ଆଗାମୀ 2024 ନିର୍ବାଚନ ରଣନୀତି କିଭଳି ରହିବ ସେନେଇ ବିଜେପିର ବରିଷ୍ଠ ନେତାମାନେ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି, "ଆଗାମୀ 2024ରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ବିଜେଡି ସରକାରର ଦୁର୍ନୀତି, ଅନ୍ୟାୟ ଅତ୍ୟାଚାରକୁ ନେଇ ଲୋକମାନେ ଅତିଷ୍ଠ ଅଛନ୍ତି ।" ସେପଟେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି, "ଓଡ଼ିଶାରେ ପରିବର୍ତ୍ତନ ପାଇଁ ରାଜ୍ୟବାସୀ ମନସ୍ଥ କରିସାରିଲେଣି । ବିଶେଷ କରି ବିଜେଡି ସରକାରରେ ଯେଭଳି ଅଗଣତାନ୍ତ୍ରିକ କାର୍ଯ୍ୟ ବଢ଼ିବାର ଲାଗିଛି, ପ୍ରତ୍ୟେକ କାର୍ଯ୍ୟରେ ଦୁର୍ନୀତି, ଅତ୍ୟାଚାର ଚାଲିଛି ଲୋକମାନେ ବିଜେଡି ସରକାର ପ୍ରତି ବିମୁଖ ହୋଇଛନ୍ତି । ଯାହାର ପରିଣାମ ଆଗାମୀ 2024 ନିର୍ବାଚନରେ ଦେଖିବାକୁ ମିଳିବ ।"

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, "ବିଜେପିକୁ ଓଡ଼ିଶାବାସୀ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବେ । ତେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟ ତଥା ପରସ୍ପରକୁ ପ୍ରଶଂସା ଏକ ସଙ୍ଘୀୟ ବ୍ୟବସ୍ଥାର କାର୍ଯ୍ୟକ୍ରମ । ଏହାର ଅର୍ଥ ନୁହେଁ ଓଡ଼ିଶାରେ ବିଜେଡିକୁ ବିଜେପି ସମର୍ଥନ କରୁଛି । ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ଲଢେଇ ହେବ । ସେହିପରି ବିଜେପି ସରକାରକୁ ଅନାସ୍ଥାରେ ବିଜେଡି ସମର୍ଥନ କରିବା ଏକ ଭିନ୍ନ ପ୍ରସଙ୍ଗ । ଦେଶର ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ଦଳ ସମର୍ଥନ କରନ୍ତି । କେବଳ ବିଜେଡି କାହିଁକି ଅନ୍ୟ ଦଳ ବି ବିଜେପିକୁ ସମର୍ଥନ କରିଥିଲେ । ଏଣୁ ଓଡିଶାରେ ବିଜେପି, ବିଜେଡି ବିରୋଧରେ ଜୋରଦାର ଲଢେଇ କରିବ।"

ଏହା ବି ପଢନ୍ତୁ...ଲୋକଙ୍କ ମତ ଆମ ସପକ୍ଷରେ ଅଛି, ଭ୍ରଷ୍ଟାଚାରୀ ବିଜେଡି ସରକାର ଗାଦି ଛାଡିବେ: ମନମୋହନ ସାମଲ

ସେହିପରି 5ଟି ସଚିବଙ୍କ ଗସ୍ତକୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ଜଣେ ସଚିବ ଜନ ପ୍ରତିନିଧିଙ୍କୁ ଅବହେଳା କରି ସରକାର ଚଳାଇବା ସମ୍ପୂର୍ଣ୍ଣ ଗଣତନ୍ତ୍ର ବିରୋଧୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ଅମଲାଙ୍କ ଉପରେ ନିର୍ଭର କରି ସରକାର ଚଳାଉଛନ୍ତି ତାହା ଗଣତନ୍ତ୍ରକୁ ହତ୍ୟା କରିଛି । ଏହାର ଉପଯୁକ୍ତ ଜବାବ ଓଡ଼ିଶାବାସୀ ଆଗାମୀ ନିର୍ବାଚନରେ ଦେବେ ।"


ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ଓଡ଼ିଶାବାସୀ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ହଟାଇବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । କେନ୍ଦ୍ର ବିଜେପି ସରକାର ଗତ 9 ବର୍ଷରେ ଓଡ଼ିଶାକୁ ବିଭିନ୍ନ ଯୋଜନାରେ 18 ଲକ୍ଷ 83 ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ତାହା ସଠିକ ଭାବେ ବିନିଯୋଗ ହୋଇଥିଲେ ଓଡ଼ିଶାରୁ ବିଭିନ୍ନ ଯୋଜନା ବାବଦରେ ଆଉ ଅର୍ଥ ଦେବାକୁ ଦାବି ଆସିନଥାନ୍ତା। ହେଲେ ବିଜେଡି ସରକାର ସେହି ଅନୁଦାନକୁ ବାଟମାରଣା କରିଥିବା ସ୍ପଷ୍ଟ ହୋଇଛି । ଏହାର ଜବାବ ଆଗାମୀ ନିର୍ବାଚନରେ ଓଡ଼ିଶାବାସୀ ଦେବେ ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details