ଭୁବନେଶ୍ବର: ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ପରେ ପରିକ୍ରମା ପ୍ରକଳ୍ପ ନେଇ ପୁଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ପରିକ୍ରମା ପ୍ରକଳ୍ପ ନାଁରେ ପ୍ରତ୍ୟେକ ଘରୁ ସଂଗ୍ରହ ହୋଇଥିବା ଗୁଆ ଚାଉଳ କୁଆଡ଼େ ଗଲା ? ଏ ନେଇ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଅଭିଯୋଗ ଆଣିଛନ୍ତି ଯେ ଜଗନ୍ନାଥଙ୍କୁ ଟ୍ରେଡ୍ ମାର୍କ ଭାବେ ବ୍ୟବହାର କରୁଛି ବିଜେଡି । ଏହି ନାଟକରେ ରାଜ୍ୟ ସରକାରଙ୍କୁ ଓସ୍କାର ମିଳିବା କଥା । ମୋଦିଙ୍କୁ ସବୁ କଥାରେ ଅନୁସରଣ କରୁଛନ୍ତି । ହେଲେ ସବୁବେଳେ ସଫଳ ହେବେନି । ଜଗନ୍ନାଥଙ୍କୁ ବହୁ ଅପମାନ କରାଯାଇଛି ବୋଲି ସେ କହିଛନ୍ତି ।
ଏ ନେଇ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଜଗନ୍ନାଥଙ୍କୁ କେତେ ଅପମାନ କରାଯାଇଛି । ବ୍ରହ୍ମ ବିଭ୍ରାଟଠାରୁ ଆରମ୍ଭ କରି କାମିୟା ଜାନି ପର୍ଯ୍ୟନ୍ତ । ଓଡ଼ିଶା ସରକାର ରାଜକୋଷକୁ ମନ ଇଚ୍ଛା ଖର୍ଚ୍ଚ କରୁଛନ୍ତି । ରାମ ମନ୍ଦିରରେ ସରକାରୀ ଅର୍ଥ ଖର୍ଚ୍ଚ ହୋଇନି । ଲୋକ ଦେଖାଣିଆ ଚାଉଳ ସଂଗ୍ରହ ହୋଇଥିଲା, ପୁରୀକୁ ଯିବା ପାଇଁ ନୁହେଁ । ପୂର୍ବରୁ ଅନେକ ବାର ଜଗନ୍ନାଥଙ୍କୁ ଅପମାନ କରାଯାଇଛି । ବ୍ରହ୍ମ ବିଭ୍ରାଟ ହୋଇଛି । ଗୋମାଂସକୁ ପ୍ରୋତ୍ସାହନ କରୁଥିବା କାମୀୟା ଜାନିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚଳନ୍ତି ପ୍ରତିମା ମନ୍ଦିର ପ୍ରବେଶ କଲେ । ଜଗନ୍ନାଥ ସଂସ୍କୃତି ସହ ଖେଳ ଚାଲିଛି । ମନ୍ଦିରକୁ ମୁଖଶାଳା ବଢ଼ିଯାଉଛି । ଏସବୁ କେବଳ ଭୋଟ ରାଜନୀତି କରୁଛି ବିଜେଡି।"