ଭୁବନେଶ୍ବର: ଆରମ୍ଭ ହେଲା ଷୋଡଶ ବିଧାନସଭାର ଦ୍ବାଦଶ ତମ ଅଧିବେଶନର ବଜେଟ ଅଧିବେଶନ । ଆଜି ଠାରୁ ଆରମ୍ଭ ହୋଇଥିବା ଅଧିବେଶନ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୧ ଯାଏଁ ଚାଲିବ । ପୁଣି ଥରେ ମାର୍ଚ୍ଚ 10 ରୁ ଏପ୍ରିଲ 6 ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହେବ । ଚଳିତ ବଜେଟ ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ରହିଛି। ଫେବୃୟାରୀ 24 ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବେ ।
ଏହାବି ପଢନ୍ତୁ- Budget Session: ସବୁ ବର୍ଗର ଲୋକଙ୍କୁ ସଶକ୍ତ କରିବା ମୋ ସରକାରର ଲକ୍ଷ୍ୟ: ରାଜ୍ୟପାଳ
ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା । ପ୍ରଥମ ଦିନର ପ୍ରଥମ ଶୋରୁ ବିରୋଧୀଙ୍କ ନିଶାନାରେ ସରକାର । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ପ୍ରସଙ୍ଗ କରି ସରକାରଙ୍କ ଉପରେ ଭାରି ପଡିଛନ୍ତି ବିରୋଧୀ । ଏପରିକି ବିରୋଧୀ ବିଜେପି ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଛି । ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେଉ ହେଉ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇଥିଲେ । ରାଜ୍ୟପାଳ କିନ୍ତୁ ପରମ୍ପରାଗତ ଭାବେ ଅଭିଭାଷଣ ପଢିଚାଲିଥିଲେ ।
ଗୃହ ବାହାରେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ନବ ଦାସ ହତ୍ୟାକାଣ୍ଡକୁ ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି । ଜୟ କହିଛନ୍ତି ନବ ଦାସ ହତ୍ୟାକାଣ୍ଡରେ 5T ସଚିବ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସମ୍ପୃକ୍ତ ଅଛନ୍ତି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ । ତେଣୁ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ସେପଟେ ବିରୋଧୀ ଦଳନେତାଙ୍କ ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲୀ । ପ୍ରଶାନ୍ତ କହିଛନ୍ତି ବିରୋଧି ଦଳ ନେତା ଏପରି କହିବା ଦୁର୍ଭାଗ୍ୟ ଜଣକ। ସେ ମାନସିକ ଭାରସାମ୍ୟ ହରାଇଛନ୍ତି।