ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ବୟାନବାଜି ଜାରି ରହିଛି । ଏହାରି ଭିତରେ ବିସ୍ଫୋରକ ବୟାନ ଦେଇଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ବିଜ୍ନେସ୍ ପାଇଁ ନବଙ୍କୁ ପଲିଟିକାଲ ମର୍ଡର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ପ୍ରଭାବଶାଳୀ ବିଜେଡି ନେତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ସୁବାସ ।
'ଉପକୂଳ ଓଡିଶାର ବିଜେଡି ନେତା ନବଙ୍କୁ ମାରିଛନ୍ତି':ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, "ପୂର୍ବତନ ମନ୍ତ୍ରୀ ନବ ଦାସଙ୍କର ବହୁତ ଗୁଡାଏ ବିଜନେସ ଥିଲା । ବଡ଼ ବ୍ୟବସାୟିକ ସାମ୍ରାଜ୍ୟ ରହିଥିଲା । ପଶ୍ଚିମ ଓଡ଼ିଶାର ସେ ଜଣେ ଟାଣୁଆ ନେତା ଥିଲେ । ନବଙ୍କ ହତ୍ୟା ପଛରେ ରହିଛି ପଲିଟିକାଲ ଷଡଯନ୍ତ୍ର । ନବଙ୍କ ସାମ୍ରାଜ୍ୟକୁ ଖତମ କରି ସେଠୁ ଟଙ୍କା କଲେକ୍ସନ କରିବା ପାଇଁ କେହି ଜଣେ ନେତା ଏହି ହତ୍ୟାକାଣ୍ଡ କରାଇଛନ୍ତି । ସମ୍ପୂର୍ଣ୍ଣ ଭାବେ ଷଡ଼ଯନ୍ତ୍ର କରି ନବ ଦାସଙ୍କୁ ମାରି ଦିଆଯାଇଛି । ବିଜ୍ନେସ୍ ପାଇଁ ନବ ଦାସଙ୍କୁ ପଲିଟିକାଲି ମର୍ଡର କରାଯାଇଛି । ନବ ଦାସଙ୍କର ବିଜ୍ନେସ୍ ଯେପରି ଚାଲୁଥିଲା, କିଛି ପଲିଟିକାଲ ଲୋକ ସେ ସାମ୍ରାଜ୍ୟକୁ ଅଧିକାର କରିବା ପାଇଁ ଏହି ମର୍ଡର କରିଛନ୍ତି ।"
ତେବେ ବିଜେଡି ନେତା ହିଁ ଏହି ହତ୍ୟାକାଣ୍ଡ ପଛରେ ରହିଥିବା ଅଭିଯୋଗ କରିଛନ୍ତି ସୁବାସ । ସେ କହିଛନ୍ତି, "ନବ ଦାସଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ଦଖଲ କରିବା ଲାଗି ତାଙ୍କୁ ହତ୍ୟା କରାଯାଇଛି । ବହୁତ ବଡ଼ ନେତା ଏହି ହତ୍ୟାକାଣ୍ଡ ପଛରେ ଅଛନ୍ତି । ପଶ୍ଚିମ ଓଡିଶାର ନେତା ନୁହେଁ, ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତା ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ରହିଛନ୍ତି । ଗୋପାଳ ଦାସଙ୍କୁ ଏହି ହତ୍ୟାକାଣ୍ଡରେ କେବଳ ମୋହରା ବନାଯାଇଛି । ଜଣେ ପୋଲିସ ଅଧିକାରୀ ନେତା ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦିଏ । ସେ ମାରେ ନାହିଁ ।" ତେବେ ସିବିଆଇ ତଦନ୍ତ ହେଲେ ଏ ସବୁ କିଛିର ଗୁମର ଖୋଲିଯିବ ବୋଲି ସେ କହିଛନ୍ତି ।