ଭୁବନେଶ୍ବର: ୨୦୨୪ ପାଇଁ ରାଉରକେଲାରେ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ ଏବଂ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଅଛନ୍ତି ଉପସ୍ଥିତ । ରାଜ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ଏବଂ ବିଭିନ୍ନ କମିଟି ସହ ଚାଲିଛି ରୁଦ୍ଧଦ୍ବାର ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମଧ୍ୟ ଉପସ୍ଥିତ ଅଛନ୍ତି । ଶାସକ ବିଜେଡିର ଟଙ୍କା, ସରକାରୀ କଳ, ପୋଲିସ ବଳକୁ ପ୍ରତିହତ କରିବାକୁ ରଣନୀତି ହେଉଥିବା କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ତେବେ ଅସୁସ୍ଥତା କାରଣରୁ ନିଜେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଭାଗ ନେବାକୁ ରାଉରକେଲା ଯାଇନାହାନ୍ତି ଜୟନାରାୟଣ ।
ରାଉରକେଲାରେ ରାଜ୍ୟ ବିଜେପିର ଆଗାମୀ ରଣନୀତି ନେଇ ଚାଲିଛି ଅଙ୍କକଷା । ସଙ୍ଗଠନ ମଜଭୁତ ଓ ବୁଥ ମ୍ୟାନେଜମେଣ୍ଟ ନେଇ ଚାଲିଛି ଆଲୋଚନା । ଦିଲ୍ଲୀରେ ପ୍ରସ୍ତୁତ ହୋଇଥିବା ରୋଡମ୍ୟାପ୍କୁ କାର୍ଯ୍ୟକାରୀ କରିବା ସହ ରାଜ୍ୟ ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ମନ୍ତ୍ର ଦେଉଛନ୍ତି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ । ଗତକାଲି ବିଳମ୍ବିତ ରାତି ଯାଏଁ ବୈଠକ ପରେ ଆଜି ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଶାସକ ବିଜେଡିର ଟଙ୍କା, ସରକାରୀ କଳ, ପୋଲିସ ବଳ ଭଳି ସବୁ ଷଡ଼ଯନ୍ତ୍ରକୁ ଚ୍ୟାଲେଞ୍ଜ କରିବାକୁ ଷ୍ଟ୍ରାଟେଜୀ ତିଆରି ହେଉଥିବା କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏପଟେ ୫ ଦିନ ହେବ ରାଉରକେଲାରେ ଡେରା ପକାଇଛନ୍ତି ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ । ଅନ୍ୟପଟେ ଖୁବଶୀଘ୍ର ଓଡିଶା ଆସିବେ କେନ୍ଦ୍ରୀୟ ନେତା । ୨୧ ସଂସଦୀୟ କ୍ଷେତ୍ରକୁ ୨୧ କେନ୍ଦ୍ର ନେତୃତ୍ବ ଆସିବେ । ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅମିତ ଶାହ, ଯୋଗୀ ଆଦିତ୍ୟନାଥ ଆସିବା ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି । ଜାତୀୟ କାଉନ୍ସିଲ ବୈଠକ ପରେ ଶୀର୍ଷ ନେତାଙ୍କର ଗସ୍ତ ଚାଲିବ ବୋଲି ଜୟନାରାୟଣ ସୂଚନା ଦେଇଛନ୍ତି ।