ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନକୁ ନେଇ ବିଜେଡି ବିଜେପି ନେତାଙ୍କ ଆରୋପ ପ୍ରତ୍ୟାରୋପ ଜୋର ଧରିଛି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରେସମିଟ ତାଙ୍କ ଉପରେ ବିଜେଡିର ଆକ୍ରମଣ ଅଭିଯୋଗ ନେଇ କାନ୍ଦି କାନ୍ଦି କହିଥିଲେ । ସେପଟେ ଏହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ । ଜାମିନରେ ଆସିଥିବା ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପନିର୍ବାଚନରେ ଷ୍ଟାର ପ୍ରଚାରକ ହୋଇଛନ୍ତି । ପଦ୍ମପୁରରେ ବିଜେଡି ବିଧାୟକଙ୍କ ଉପରେ ଆକ୍ରମଣ ଆଶଙ୍କା ରହିଛି । ବିଜେପୁର ଉପନିର୍ବାଚନ ସମୟରେ ଏମାନେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ପ୍ରଦୀପ ପୁରୋହିତଙ୍କ ମୁହଁରୁ ହରିବାର ଭୟ ବାରି ହୋଇପଡୁଛି । ତେଣୁ ସହାନୁଭୂତି ପାଇଁ ଆକ୍ରମଣର ନାଟକ କରିପାରେ ବିଜେପି । ଏହା କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ।
ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଦେବେଶ କହିଛନ୍ତି, "ବିଜେପୁର ଉପନିର୍ବାଚନ ସମୟରେ ଦୁଇ ବିଜେପି ନେତା ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ କିଭଳି ମରଣାନ୍ତକ ଆକ୍ରମଣ କରିଥିଲେ ତାହା ସମସ୍ତଙ୍କୁ ଜଣା । ଏଭଳି ଜଘନ୍ୟ ଅପରାଧ ପାଇଁ ସେମାନେ ଜେଲ ଯାଇଥିଲେ । ଜାମିନରେ ଆସି ଏହି ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପ ନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ସାଜିଛନ୍ତି । ଶୁଣିବାକୁ ମିଳୁଛି ଯେ ସେମାନେ ଏବେ ପଦ୍ମପୁର ଉପନିର୍ବାଚନ ସମୟରେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଏଥିପାଇଁ ସେମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।"