ଭୁବନେଶ୍ବର:ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ନୂଆ ଦାୟିତ୍ୱ । ବିଜେପି ଜାତୀୟ କାର୍ଯ୍ୟକାରିଣୀ କମିଟିରେ ସ୍ଥାନ ପାଇଲେ ସମୀର ମହାନ୍ତି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଏହି ନୂଆ ଦାୟିତ୍ବ ଦେଇଛନ୍ତି । ସମୀରଙ୍କୁ ଜାତୀୟ କାର୍ଯ୍ୟକାରିଣୀ କମିଟିର ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ୨୦୨୦ ଜାନୁଆରୀ ୧୭ରୁ ୨୦୨୩ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ରାଜ୍ୟ ବିଜେପିର ସଭାପତି ଥିଲେ ସମୀର ମହାନ୍ତି । ଏହାପରେ ଗତ ମାର୍ଚ୍ଚ ମାସରେ ତାଙ୍କ ସ୍ଥାନରେ ମନମୋହନ ସାମଲଙ୍କୁ ରାଜ୍ୟ ବିଜେପି ମୁଖ୍ୟ ଭାବେ ନିଯୁକ୍ତି ମିଳିଥିଲା ।
୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି କର୍ମୀମାନଙ୍କୁ ନୂଆ ଦାୟିତ୍ଵ ଦେଉଛି । ଏହାସହିତ ଆଉ କିଛି ବିଜେପିର ସାଧାରଣ ସମ୍ପାଦକମାନଙ୍କୁ ନୂତନ ଦାୟିତ୍ବ ମିଳିବାର ସମ୍ଭାବନା ରହିଛି । ଦାୟିତ୍ବ ମିଳିବା ପରେ ଏକ ସ୍ଵତନ୍ତ୍ର କମିଟି ଗଠନ କରାଯିବ । ୨୦୨୪ ନିର୍ବାଚନରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ।
ଏହାମଧ୍ୟ ପଢନ୍ତୁ: ସଚିବ ନୁହେଁ ନିର୍ବାଚିତ ପ୍ରତିନିଧି ଲୋକଙ୍କ ସମସ୍ୟା ବୁଝନ୍ତୁ: ଅପରାଜିତା ଷଡଙ୍ଗୀ
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୩ରେ ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କୁ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇଥିଲା । ମନମୋହନ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ମୁଖ୍ୟ ଥିଲେ । ୧୯୯୯ରୁ ୨୦୦୪ ଯାଏଁ ସେ ଏହି ଦାୟିତ୍ବ ତୁଲାଇ ଥିଲେ । ୨୦୨୪ ସାଧାରଣ ନିର୍ବାଚନ ଦୃଷ୍ଟିରେ ରାଜ୍ୟ ବିଜେପିର ବଡ ପରିବର୍ତ୍ତନ ହୋଇ ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ସଭାପତି ଭାବେ ନିଯୁକ୍ତି ମିଳିଥିଲା । ସଭାପତି ପଦ ଛାଡିବା ପରେ ସମୀର ମହାନ୍ତିଙ୍କୁ ଦଳର ବିଭିନ୍ନ ସଭା ସମିତିରେ ଅଧିକାଂଶ ସମୟରେ ଦେଖିବାକୁ ମିଳୁନଥିଲା ।