ଓଡିଶା

odisha

ETV Bharat / state

'ଆର ବର୍ଷକୁ ଅପେକ୍ଷା ନକରି ଚଳିତ ଅଗଷ୍ଟରେ ଖୋଲାଯାଉ ରତ୍ନଭଣ୍ଡାର' - ପୂର୍ବତନ ରାଜ୍ୟ ବିଜେପି ସଭାପତି

ସରକାର ଆର ବର୍ଷକୁ ଅପେକ୍ଷା ନକରି ଚଳିତ ଅଗଷ୍ଟ ମାସରେ ରତ୍ନଭଣ୍ଡାର ଖୋଲନ୍ତୁ ଓ ନିଜ ସ୍ବଚ୍ଛତାର ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ

Sameer Mohanty
Sameer Mohanty

By

Published : Aug 10, 2023, 3:42 PM IST

Updated : Aug 10, 2023, 4:02 PM IST

'ଆର ବର୍ଷକୁ ଅପେକ୍ଷା ନକରି ଚଳିତ ଅଗଷ୍ଟରେ ଖୋଲାଯାଉ ରତ୍ନଭଣ୍ଡାର'

ଭୁବନେଶ୍ବର: ଆସନ୍ତା ବର୍ଷ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିବା ବେଳେ ଏହାକୁ ନେଇ ପୁଣି ତେଜିଛି ବିବାଦ । ତୁରନ୍ତ ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର ଗଣତି କରିବା ଲାଗି ବିଭିନ୍ନ ମହଲରେ ଦାବି ହୋଇଛି । ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବଚନ ରାଜ୍ୟ ବିଜେପି ସଭାପତି ସମୀର ରଞ୍ଜନ ମହାନ୍ତି । ଆର ବର୍ଷକୁ ଅପେକ୍ଷା ନ କରି ଚଳିତ ମାସ ଅଗଷ୍ଟର ଖୋଲିବାକୁ ସେ ଦାବି କରିଛନ୍ତି ।

ଏ ନେଇ ସେ କହିଛନ୍ତି, "ଆର ବର୍ଷକୁ ଅପେକ୍ଷା ନକରି ଚଳିତ ଅଗଷ୍ଟ ମାସରେ ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ସବୁ ଗଣତି କରାଯାଉ । ଗତ ୪୫ ବର୍ଷ ଧରି ରତ୍ନଭଣ୍ଡାରର ଇନଭେଣ୍ଟରି ହୋଇନାହିଁ । ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବାର ଆଦେଶ ଦେଉନାହାନ୍ତି । ହାଇକୋର୍ଟରେ ମାମଲା ହେଲା ପରେ ତରବରିଆ ଭାବେ ପରିଚାଳନା କମିଟି କହୁଛନ୍ତି ଆସନ୍ତା ବର୍ଷ ଖୋଲିବେ । ୧୯୭୮ ମସିହା ଇନଭେଣ୍ଟରିକୁ ନେଇ ଗ୍ୟାଜେଟ ନୋଟିଫିକେସନ ହୋଇଛି । ତାହାର ତଥ୍ୟ, ଆଇନ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିବା ଏବଂ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠରେ ଦେଇଥିବା ହିସାବରୁ ସନ୍ଦେହ ସୃଷ୍ଟି ହେଉଛି ।"

ଏହା ବି ପଢନ୍ତୁ- ରତ୍ନଭଣ୍ଡାର ନେଇ ସରକାର ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ, ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସରକାର ରତ୍ନଭଣ୍ଡାର ଖୋଲିବାକୁ କୁଣ୍ଠା ପ୍ରକାଶ କରୁଥିବାରୁ ରତ୍ନ ଚୋରି ହୋଇଛି ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବା କହି ସମୀର କହିଛନ୍ତି, "ଲୋକଙ୍କ ଭିତରେ ଅବିଶ୍ବାସର ବାତାବରଣ ହୋଇଛି ଏବଂ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିରୁ ରତ୍ନଭଣ୍ଡାର ଲୁଟ୍‌ ହୋଇଛି ବୋଲି ପ୍ରମାଣିତ ହେଉଛି । ରତ୍ନଭଣ୍ଡାର ସୁରକ୍ଷା ପାଇଁ ଏଏସ୍‌ଆଇ ଉନ୍ନତମାନର ଯାନ୍ତ୍ରିକ ଜ୍ଞାନକୌଶଳ ବ୍ୟବହାର କରିବ ବୋଲି ହାଇକୋର୍ଟରେ ସତ୍ୟପାଠ କରିଛି । ଏହାକୁ ହାଇକୋର୍ଟ ତର୍ଜମା କରିବେ । ୨୦୧୮ରୁ ଏଏସ୍‌ଆଇ ବାରମ୍ବାର ଚିଠି ଦେଇଛି । କିନ୍ତୁ ସରକାର ନିଦାବିଷ୍ଣୁ ଭଳି ଅଛନ୍ତି ।"

ସେ ଆହୁରି କହିଛନ୍ତି, "୨୦୧୮ ମସିହାରେ ବିଜେପି ସିଂହଦ୍ବାର ଥାନା ଆଗରେ ଧାରଣାରେ ବସିଥିଲା । ସେହିଦିନ ସନ୍ଧ୍ୟାରେ ଡୁପ୍ଲିକେଟ୍‌ ଚାବି ମିଳିଲା କିପରି ? ତାପରେ ବିଜେପି ଓ ଅନ୍ୟ ସାମାଜିକ ସଙ୍ଗଠନମାନେ ରତ୍ନଭଣ୍ଡାର ଖୋଲି ଇନଭେଣ୍ଟରି କରାଯାଉ ବୋଲି ଚାପ ସୃଷ୍ଟି କଲେ । ଯେଉଁଥିପାଇଁ ରଘୁବର ଦାସ କମିଶନ ବସିଲା । କିନ୍ତୁ କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେଲା ନାହିଁ । ତେଣୁ ଜାଣି ଶୋଇଥିବ ଯିଏ ତାକୁ ଉଠେଇବ କିଏ ? କାହିଁକି ସରକାର ଖୋଲୁନାହାନ୍ତି ଏ କଥା ସରକାର ହିଁ ଜାଣିଛନ୍ତି । ପ୍ରଭୁ ଜଗନ୍ନାଥ ମଧ୍ୟ ସେ କଥାକୁ ବିଚାର କରୁଛନ୍ତି । ଏ ଘଟଣା କୋର୍ଟକୁ ଯିବା କଥା ନୁହେଁ । ସରକାର ରତ୍ନଭଣ୍ଡାର ଖୋଲିଲେ ନାହିଁ ବୋଲି ମାମଲା ହାଇକୋର୍ଟକୁ ଯାଇଛି ।"

ତେବେ ସରକାର ଆର ବର୍ଷ ରଥଯାତ୍ରାକୁ ଅପେକ୍ଷା ନକରି ଚଳିତ ଅଗଷ୍ଟ ମାସରେ ହାଇକୋର୍ଟଙ୍କ ତାରିଖ ପୂର୍ବରୁ ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ ବୋଲି ସମୀର ଦାବି କରିଛନ୍ତି । ରତ୍ନଭଣ୍ଡାର ଖୋଲି ସରକାର ନିଜ ସ୍ବଚ୍ଛତାର ପ୍ରମାଣ ଦେଇ କୋଟି କୋଟି ଭକ୍ତଙ୍କ ମନରେ ଆସ୍ଥା ସ୍ଥାପନ କରନ୍ତୁ । କୋଟି କୋଟି ଜଗନ୍ନାଥପ୍ରେମୀ ମନରେ ଥିବା ପ୍ରଶ୍ନର ସମାଧାନ କରିବା ଦରକାର । ଏହା କୌଣସି ରାଜନୀତିର କଥା ନୁହେଁ ବୋଲି କହିଛନ୍ତି ସମୀର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 10, 2023, 4:02 PM IST

ABOUT THE AUTHOR

...view details