ଏକକ ନିର୍ବାଚନ ସ୍ବାଗତଯୋଗ୍ୟ ପଦକ୍ଷେପ ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଲାଗି ରହିଛି ଏକକ ନିର୍ବାଚନ ଚର୍ଚ୍ଚା । ୨୦୨୪ରେ ସାରା ଦେଶରେ ଏକାସାଙ୍ଗରେ ସାଧାରଣ ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ଭିତରେ ଆସନ୍ତାକାଲି (ବୁଧବାର) ଓଡିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ ତଥା ଇସିଆଇଙ୍କ ବରିଷ୍ଠ ଅଧିକାରୀ । ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବେ । ସେପଟେ କଂଗ୍ରେସ ଏହାକୁ ସମାଲୋଚନା କରିଛି । ଚଳିତବର୍ଷ ଶେଷରେ ୫ ରାଜ୍ୟରେ ହେବାକୁଥିବା ନିର୍ବାଚନରେ କଂଗ୍ରେସ ସପକ୍ଷରେ ଜନମତ ସ୍ପଷ୍ଟ ରହିଛି । ଏଥିପାଇଁ ଭୟଭୀତ ବିଜେପି ସରକାର ଏହି ନିର୍ବାଚନ ଘୁଞ୍ଚାଇବାକୁ ଯୋଜନା କରୁଥିବା କଂଗ୍ରେସ ଅଭିଯୋଗ କରିଛି । ସେପଟେ କଂଗ୍ରେର ଅଭିଯୋଗ ଅମୂଳକ ବୋଲି କହିବା ସହ ଏହାର ଆବଶ୍ୟକତା ରହିଥିବା କହିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ।
ସେ କହିଛନ୍ତି, "ଏକକ ନିର୍ବାଚନକୁ ନେଇ ଆମର କୌଣସି ଦ୍ଵନ୍ଦ୍ବ ନାହିଁ । କଂଗ୍ରେସର ଅଭିଯୋଗ ଅମୂଳକ । ଅର୍ଥନୀତିଜ୍ଞ, ରାଜନୀତି ସମୀକ୍ଷକ ମାନଙ୍କର ସ୍ପଷ୍ଟ ମତ ଯେ, ଯଦି ଗୋଟିଏ ସମୟରେ ନିର୍ବାଚନ ହୁଏ ତେବେ ଦେଶ ଅନେକ ଗୁଡ଼ିଏ ଅର୍ଥ ବୋଝରୁ ମୁକ୍ତି ପାଇବ । ଆଦର୍ଶ ଆଚରଣ ବିଧି ବାରମ୍ବାର ଲାଗୁ ହେବା ଯୋଗୁଁ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଗୁଡ଼ିକ ବାଧାପ୍ରାପ୍ତ ହେବନାହିଁ । ତେଣୁ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଆଗୁଆ ନିର୍ବାଚନ ହେଲେ ମଧ୍ୟ ବିଜେପି ପ୍ରସ୍ତୁତ ଅଛି । ନବୀନ ପଟ୍ଟନାୟକଙ୍କ ଇମେଜ୍କୁ ନେଇ ବିଜେଡି ନିର୍ବାଚନ ଲଢୁଥିଲା । କିନ୍ତୁ ଏବେ ନବୀନଙ୍କ ଲୋକପ୍ରିୟତା କମିଗଲାଣି । ତେଣୁ ସେମାନେ ଆଗୁଆ ନିର୍ବାଚନ କରିବାକୁ ଚାହୁଁଥିଲେ ।"
ଏହା ମଧ୍ୟ ପଢ଼ନ୍ତୁ...ଏକକ ନିର୍ବାଚନ ଚର୍ଚ୍ଚା: କଂଗ୍ରେସ କହିଲା ହେବାକୁ ଥିବା ୫ରାଜ୍ୟର ନିର୍ବାଚନ ଘୁଞ୍ଚାଇବାକୁ ଷଡ଼ଯନ୍ତ୍ର
ଆଜି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ବୈଠକ ପ୍ରସଙ୍ଗରେ ପ୍ରତିକ୍ରିୟାରେ ସେ କହିଛନ୍ତି, "ମହାରାଜା ଷ୍ଟାଇଲରେ ପ୍ରଶାସନ କିମ୍ବା ସରକାର ଚାଲେନାହିଁ । ଯାହା ପଲ୍ଲୀସଭା ଏବଂ ଗ୍ରାମସଭା ମାଧ୍ୟମରେ ହେବା କଥା, ତାକୁ ଅଣଦେଖା କରି ସିଧାସଳଖ ବିଜେଡି ନେତା ମାନଙ୍କ ସୁପାରିଶରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ସରକାର କରିଥିଲେ । ତା ଉପରେ କୋର୍ଟଙ୍କ ଛାଟ ବାଜିଲା । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଗୋଟିଏ ଜାଗାରେ ନିଜ ଦଳୀୟ କର୍ମୀଙ୍କୁ ଏକାଠି କରି ଶୁଣାଣି କରିବା ଏବଂ ସେହି ଅନୁସାରେ ପ୍ରକଳ୍ପ ହେବା ମଧ୍ୟ ଉଚିତ୍ ନୁହେଁ । ରାଜ୍ୟ ସରକାର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ହତ୍ୟା କରୁଛନ୍ତି । ତେଣୁ ପ୍ରକଳ୍ପ ଗୁଡ଼ିକୁ ତୁରନ୍ତ ତ୍ଵରାନ୍ବିତ କରିବା ପାଇଁ ଜିଲ୍ଲାପାଳମାନଙ୍କ ଉପରେ ଚାପ ପକାଉଛନ୍ତି ରାଜ୍ୟ ସରକାର । ଏହାକୁ ବିରୋଧ କରିବ ବିଜେପି । ଜିଲ୍ଲାପାଳ ମାନଙ୍କର ବୈଠକ ବିଭିନ୍ନ ସମୟରେ ହେଉଛି । କିନ୍ତୁ ଏହି ବୈଠକ ମାଧ୍ୟମରେ ଦଳୀୟ କର୍ମୀମାନଙ୍କୁ ଦିଆଯାଇଥିବା ପ୍ରକଳ୍ପ ଗୁଡ଼ିକୁ ବଞ୍ଚାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି, "ମୁଖ୍ୟମନ୍ତ୍ରୀ ୨୦୦୮ରୁ ଅଭିଯୋଗ ପ୍ରକୋଷ୍ଠକୁ ଯାଇନାହାନ୍ତି । ସାଧାରଣ ଲୋକଙ୍କ ସହ ମିଶି ନାହାନ୍ତି ମୁଖ୍ୟମନ୍ତ୍ରୀ । ଏହା ରାଜ୍ୟର ଏବଂ ଲୋକଙ୍କର ଦୁର୍ଭାଗ୍ୟ । କାରଣ ଏ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଯାଆନ୍ତି ନାହିଁ କି କଥା ହୁଅନ୍ତି ନାହିଁ । ୨୦୦୮ରୁ ୨୦୨୩ ଯାଏଁ ୧୫ ବର୍ଷ ହେଲା ମୁଖ୍ୟମନ୍ତ୍ରୀ କିଛି କରିନାହାନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର