'କଳାଧନ ରଖିଥିବା ଲୋକ ବିରୋଧ କରୁଛନ୍ତି, ଲୋକେ ସ୍ବାଗତ କରିଛନ୍ତି' ଭୁବନେଶ୍ବର:ଦେଶରେ ଅର୍ଥ ବଜାରରେ ସର୍ବବୃହତ ଦୁଇ ହଜାର ଟଙ୍କା ନୋଟ୍ ଚଳିବ ନାହିଁ । ଏହାକୁ ଆରବିଆଇ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛି । ତେବେ ଏହାକୁ ନେଇ ଓଡିଶାରେ ରାଜନୀତି ଆରମ୍ଭ ହୋଇଯାଇଛି । ଶାସକ ବିଜେଡି ଏହାକୁ ଗ୍ରହଣ କରିପାରୁନାହିଁ । ଯେଉଁମାନଙ୍କ ନିକଟରେ କଳାଧନ ରହିଛି ସେମାନେ ଆରବିଆଇର ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଏହି ବିରୋଧୀମାନଙ୍କ ମଧ୍ୟରେ ବିଜୁ ଜନତା ଦଳର କିଛି ଲୋକ ସାମିଲ ଅଛନ୍ତି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।
ଏନେଇ ଆଜି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଯେତେବେଳେ ବିମୁଦ୍ରୀକରଣ ହେଲା ସେତେବେଳେ ବିଜେଡି ଦୋମୁହାଁ ନୀତି ଧରିଥିଲା । ପ୍ରଥମେ ମୁଖ୍ୟମନ୍ତ୍ରୀ ସ୍ଵାଗତ କରିଥିଲେ ତାପରେ ଯେତେବେଳେ ଦେଖିଲେ ଅସୁବିଧା ହେଲା ଦଳର ଛାମୁଆ ନେତା ମାନଙ୍କୁ ଲଗାଇ ବିମୁଦ୍ରୀକରଣକୁ ଗାଳିଦେବା ଆରମ୍ଭ କଲେ । ଏହା ଦ୍ଵାରା ଦେଶ ବୁଡିଗଲା, ଦେଶରେ ଅର୍ଥନୈତିକ ଖରାପ ହେଲା କହିବା ଆରମ୍ଭ କଲେ । ଆଜି ସେକଥା ଭୁଲ ପ୍ରମାଣିତ ହୋଇଛି । ବିମୁଦ୍ରୀକରଣ ସମୟରୁ ଆଜି ପର୍ଯ୍ୟନ୍ତ ଦେଶରେ ଅର୍ଥନୀତି ଯେଉଁଭଳି ଭାବେ ବୃଦ୍ଧି ପାଇଛି । ଦେଶର ଅର୍ଥନୀତି ସୁଦୃଢ ହୋଇଛି । ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ସଠିକ ଥିଲା ବୋଲି ଏହା ପ୍ରମାଣିତ କରିଛି ।"
ଏହା ବି ପଢନ୍ତୁ- ଜୁନରୁ ବନ୍ଦ ହେବ DBT ମୋଡ, ନଗଦ ମିଳିବ ମଧୁବାବୁ ପେନସନ ଟଙ୍କା
ସେ ଆହୁରି କହିଛନ୍ତି, "କଂଗ୍ରେସ କହିବା ସ୍ଵାଭାବିକ କାରଣ ସବୁଠାରୁ ଅଧିକ କଳାଧନର ମାଲିକ ଥିଲେ । ତାପରେ ବିଜେଡି ହେଉଛି ଦ୍ବିତୀୟ ଦଳ ଯିଏକି ବିମୁଦ୍ରୀକରଣକୁ ବିରୋଧ କରିଥିଲା । ଆଜି ଯେତେବେଳେ 2 ହଜାର ଟଙ୍କିଆ ବନ୍ଦ କରିବାକୁ ଯାଉଛନ୍ତି ଏଥିରେ କିଛି ଅସୁବିଧା ନାହିଁ । 2019 ମସିହାରେ ଅଧିକାଂଶ ହାଇ ଭାଲ୍ୟୁ ନୋଟ୍ ହୋର୍ଡ଼ିଂରେ ଗଲା ଏବଂ ଯେଉଁମାନେ କଳାଧନ ରଖିଲେ ନିଜ ପାଖରେ ସେହି ଭ୍ରଷ୍ଟାଚାର ଲୋକମାନେ ଦୁଇ ହଜାର ଟଙ୍କିଆକୁ ଗାଏବ କରିଦେଲେ । ତେଣୁ 2019ଠାରୁ ଛାପିବା ବନ୍ଦ କରାଗଲା ।"
ଆଜି କେନ୍ଦ୍ର ସରକାର ଭ୍ରଷ୍ଟାଚାରକୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମକୁ ସାଧୁବାଦ ଦେବା ବଦଳରେ ତାକୁ ବିଜେଡି ସମାଲୋଚନା କରୁଛି । ତାର ଏକମାତ୍ର କାରଣ ହେଉଛି, ଯାହା ପାଖରେ ଏହି ନୋଟ ଅଛି, ଯାହା ପାଖରେ କଳାଧନ ଭରପୁର ଅଛି ସେମାନେ ବିରୋଧ କରିବେ । ବିଜେଡି ପାଖରେ ବହୁତ କଳାଧନ ଅଛି ବୋଲି ସେମାନେ ପ୍ରମାଣିତ କରୁଛନ୍ତି ଏବଂ ସେମାନଙ୍କୁ ବହୁତ କଷ୍ଟ ହେଉଛି । ଦେଶର ସାଧାରଣ ଲୋକୋ ଏହାକୁ ସ୍ଵାଗତ କରୁଛନ୍ତି । ରାଜନୈତିକ କାରଣରୁ ଏହାକୁ ବିରୋଧ କରୁଛନ୍ତି । ଦେଶର 85 ପ୍ରତିଶତ ଲୋକୋ ଏହାକୁ ସ୍ଵାଗତ କରୁଛନ୍ତି । ଆଉ ଯେଉଁ କିଛି ପ୍ରତିଶତ ରହିଲେ ବିରୋଧ କରୁଛନ୍ତି ସେଥିରେ ବିଜେଡିର ଲୋକମାନେ ଅଛନ୍ତି ବୋଲି କହିଛନ୍ତି ହରିଚନ୍ଦନ ।
ଇଟିଭି ଭାରତ, ଭୁବନେଶ୍ବର