ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ଦିନଠାରୁ ରାଜନୀତି ସରଗରମ ହେବାରେ ଲାଗିଛି । ଉପନିର୍ବାଚନକୁ ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇସାରିଛି ରଣଣୀତି । ବିଜେଡି ତାର ପ୍ରାର୍ଥୀ ଘୋଷଣା କରିସାରିଥିବେଳେ ଅନ୍ୟ ଦୁଇ ଦଳର କିଏ ହେବେ ବିଧାୟକ ଚେହେରା, ସେନେଇ ସବୁଠି ଚର୍ଚ୍ଚା । ଏହାରି ପ୍ରାର୍ଥୀ ଘୋଷଣା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୨ରୁ ୩ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବ ବିଜେପି - ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ
ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରାର୍ଥୀ ଘୋଷଣା ନେଇ ପ୍ରତିକ୍ରିୟା ରଖିଲେ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ବିଜେପି ପ୍ରାର୍ଥୀ ଘୋଷଣା କରିବ । ଅଧିକ ପଢ଼ନ୍ତୁ
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ପ୍ରାକ ସର୍ଭେ ଶେଷ ହୋଇଥିବା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ବରିଷ୍ଠ ନେତାଙ୍କର ଏକ ଟିମ ମଧ୍ୟ ଝାରସୁଗୁଡ଼ା ଗସ୍ତ କରି ଫେରିଛନ୍ତି । ଏହା ସହିତ କର୍ମୀ ଓ ଜନସାଧାରଣଙ୍କ ମତାମତ ନେଇ ରାଜ୍ୟ ସଭାପତିଙ୍କୁ ରିପୋର୍ଟ ଦେଇଛନ୍ତି । ତେଣୁ ବିଜେପି ପାର୍ଲାମେଣ୍ଟାରି ବୋର୍ଡ଼ ପ୍ରାର୍ଥୀ ନାମ ଘୋଷଣା କରିବ । ଆସନ୍ତା 2ରୁ 3 ଦିନ ଭିତରେ ବିଜେପି ପ୍ରାର୍ଥୀ ଘୋଷଣା କରିବ ବୋଲି ପୃଥୀରାଜ ହରିଚନ୍ଦନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ଉପନିର୍ବାଚନ ପାଇଁ ମୂଳ ମୁଦ୍ଦା ହେବ ରାଜ୍ୟରେ ଅକର୍ମା ସରକାର ଏବଂ ଝାରସୁଗୁଡ଼ାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ସ୍ଥାନୀୟ ନେତା ତଥା କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ସରକାରୀ ପ୍ରୋତ୍ସାହନରେ ହୋଇଛି । ଏବେ ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଛନ୍ତି ସରକାର । ଏକଥା ଝାରସୁଗୁଡ଼ାବାସୀ ଭୁଲି ପାରିବେ ନାହିଁ । ତାର ଉତ୍ତର ନିର୍ବାଚନରେ ଲୋକମାନେ ଦେବେ ।"
ସୂଚନା ମୁତାବକ, ଝାରସୁଗୁଡ଼ା ଉପନିର୍ବାଚନ ବିଗୁଲ ବାଜି ସାରିଛି । ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି । କିଏ ହେବେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ସେନେଇ ଅଙ୍କକଷା ଚାଲିଛି । ଏହାରି ଭିତରେ ଉପନିର୍ବାଚନରେ କେଉଁ ଦଳ କେଉଁ ପ୍ରସଙ୍ଗ ନେଇ ଲୋକମାନଙ୍କ ପାଖକୁ ଯିବେ ତାହା ଜଣାପଡିନାହିଁ । କିନ୍ତୁ ବିଜେପି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଲୋକମାନଙ୍କ ପାଖକୁ ଯିବ ବୋଲି ଜଣାପଡିଛି ।
ଜାନୁଆରୀ 29 ତାରିଖରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ହତ୍ଯା କରାଯାଇଥିଲା । ଏହାପରେ ଝାରସୁଗୁଡ଼ା ଆସନ ଖାଲି ପଡିଥିଲା । ଗତ 29 ତାରିଖରେ ନିର୍ବାଚନ ଆୟୋଗ ଏହି ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ଝାରସୁଗୁଡ଼ା ବିଧାନସଭା ଆସନରେ ତତ୍କାଳୀନ ମନ୍ତ୍ରୀ ନବ ଦାସ ତିନିଥର ନିର୍ବାଚିତ ହୋଇଥିଲେ । ଦୁଇଥର କଂଗ୍ରେସର ବିଜୟ ହୋଇଥିଲେ ଏବଂ 2019ରେ ବିଜେଡିରୁ ଜିତି ମନ୍ତ୍ରୀ ହୋଇଥିଲେ । ବିଜେଡି ପୁଣି ଭରସା କରିଛି ତାଙ୍କ ଝିଅ ଦୀପାଳୀ ଉପରେ । ନୂତନ ଝାରସୁଗୁଡ଼ା ନିର୍ମାଣ ନେଇ ଦୀପାଳି ଦାସ ଲୋକଙ୍କ ପାଖକୁ ଯାଇପାରନ୍ତି। କାରଣ 2019ରେ ତତ୍କାଳୀନ ମନ୍ତ୍ରୀ ନବ ଦାସ ସମାନ ପ୍ରସଙ୍ଗ ନେଇ ଲୋକମାନଙ୍କ ପାଖକୁ ଯାଇଥିଲେ । ନବ ଦାସ ଦେଖିଥିବା ନୂତନ ଝାରସୁଗୁଡ଼ା ସ୍ଵପ୍ନ ଝିଅ ଦୀପାଳି ପୂରଣ କରିବେ ବୋଲି ସେ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର