ଭୁବନେଶ୍ବର: ସାରା ରାଜ୍ୟରେ ଏବେ 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଚର୍ଚ୍ଚା । ରାଜ୍ୟରେ ଶାସନ କିଏ ଚଳାଉଛି ତାକୁ ନେଇ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ପାଇଁ ଦାବି କରିବା ସହ 5T ସଚିବ IAS କୋଡ୍ ଅଫ୍ କଣ୍ଡକ୍ଟ୍ ରୁଲ ଉଲ୍ଲଙ୍ଘନ କରୁଛନ୍ତି ବୋଲି DOPTକୁ ଚିଠି ଲେଖିଛି କଂଗ୍ରେସ । ସେପଟେ ବିଜେପି ମଧ୍ୟ ଏନେଇ ଅଭିଯୋଗ କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଆସିଛି । ହେଲେ ଏସବୁ ସତ୍ତ୍ବେ ବିରୋଧୀଙ୍କୁ କୌଣସି ସୁଫଳ ମିଳିନି । ଏଭଳି ସ୍ଥଳେ ଆଜି ବିଜେପି ପୁଣି ଆକ୍ରମଣାତ୍ମକ ଢଙ୍ଗରେ 5T ସଚିବଙ୍କ ଗସ୍ତକୁ ବିରୋଧ କରି ରାଜ୍ୟରେ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।
ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଯେତେବେଳେ ସରକାର ମୁଣ୍ଡ ବିହୀନ ହୋଇଯାଏ, ସେତେବେଳେ ଏହିଭଳି ବିଲକ୍ଷଣ ଦେଖିବାକୁ ମିଳିଥାଏ । ଆଜି ଓଡିଶା ସରକାର ମୁଣ୍ଡ ବିହୀନ ହୋଇଯାଇଛି । ପ୍ରଚ୍ଛଦପଟରେ ରହୁଥିବା ଲୋକମାନେ ଆସି ଶାସନ ଚଳେଇବା ଆରମ୍ଭ କରିଛନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ବିଜୁ ଜନତା ଦଳର ନେତାମାନେ ପ୍ରୋତ୍ସାହନ ଏବଂ ସମର୍ଥନ ଦେଉଛନ୍ତି । ସେମାନଙ୍କ ସ୍ବାଭିମାନ ତାଙ୍କୁ ପ୍ରଶ୍ନ ପଚାରୁଛି କି ନାହିଁ । ଜଣେ ସଚିବ, ସେ ମୁଖ୍ୟମନ୍ତ୍ରୀଙ୍କର ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀଙ୍କର । ସେ ଯାଇ ସଭା ସମିତି କରିବେ, ଘୋଷଣା କରିବେ ଏହା ଦୁର୍ଭାଗ୍ୟଜନକ । ରାଜନୀତିରେ ଏହାର ସ୍ଥାନ ନାହିଁ, କି ବିଧି ବ୍ୟବସ୍ଥାରେ ନାହିଁ । ବିଜୁ ଜନତା ଦଳର ନେତାଙ୍କର ଯଦି ସାମାନ୍ୟତମ ସ୍ବାଭିମାନ ଥାଆନ୍ତା, ଏକଥାକୁ ସମର୍ଥନ କିମ୍ବା ବ୍ୟବସ୍ଥା ଭିତରକୁ ନିଅନ୍ତେ ନାହିଁ ।"