ଭୁବନେଶ୍ବର: ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ADR) ରିପୋର୍ଟ ଅନୁସାରେ ବିଜେଡି ଦେଶର ଦ୍ବିତୀୟ ସର୍ବାଧିକ ଧନୀ ଆଞ୍ଚଳିକ ଦଳ ବୋଲି ଜଣାପଡ଼ିଛି । ଏହା ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ରାଜ୍ୟର ଏକ ଆଞ୍ଚଳିକ ଦଳ ସବୁଠୁ ଅଧିକ ଫଣ୍ଡ ଆଦାୟ କରିବା ଆଶ୍ଚର୍ଯ୍ୟଜନକ ବିଷୟ ବୋଲି କହିଛି ବିଜେପି । ଏଡିଆର ରିପୋର୍ଟ କେବଳ ସମୁଦ୍ରକୁ ଶଙ୍ଖେ । ଲିଗାଲ ଫଣ୍ଡିଂ ବାଦ ବିଜେଡି ସାଢ଼େ ୪ ହଜାର କୋଟିର କଳା ଧନ ରଖିଛି । ବେଆଇନ ଭାବେ ବିଭିନ୍ନ ସୂତ୍ରରୁ ଆଦାୟ ହୋଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।
ପୃଥ୍ବୀରାଜ ଅଭିଯୋଗ କରି କହିଛନ୍ତି, " ରାଜ୍ୟକୁ ବିଭିନ୍ନ ସ୍ତରରେ ଶୋଷଣ କରି ଏହି ଅର୍ଥ ମହଜୁଦ କରିଛି ବିଜେଡି । ଯାହାକୁ ବିଜେଡି ନିର୍ବାଚନରେ ବ୍ୟବହାର କରୁଛି । ଶିଳ୍ପ ସଂସ୍ଥା ମାନଙ୍କ ସହ ଚୁକ୍ତି ସ୍ବାକ୍ଷର କଲା ବେଳେ ସେମାନଙ୍କୁ ଟଙ୍କା ଦେବା ପାଇଁ ଚାପ ପକା ଯାଉଥିବାରୁ ଓଡ଼ିଶାକୁ ଶିଳ୍ପାନୁଷ୍ଠାନ ଆସୁ ନାହାନ୍ତି । ଓଡିଶାକୁ ଶୋଷଣ କରୁଛି ବିଜେଡି । ଏମଓୟୁ କରିବା ସମୟରେ ବ୍ୟାପକ ଅର୍ଥ ହେରଫେର କରୁଛନ୍ତି । ଏବେ ନୂଆ ସ୍ଵପ୍ନ ଦେଖାଉଛନ୍ତି ସରକାର ନିପନ ଷ୍ଟିଲ ମାଧ୍ୟମରେ । ସେମାନେ ଯେତେବେଳେ ଓଡିଶା ଆସିବେ ଇନଭେଷ୍ଟମେଣ୍ଟ କରିବା ପାଇଁ ପୋସ୍କୋ ଭଳି ଫେରି ପଳାଇବେ । ଓଡିଶା ସରକାର ବିଜେଡିକୁ ପୋଷିବା ପାଇଁ ଯେଉଁ ଖର୍ଚ୍ଚ ଦରକାର ବିଶ୍ବର କୌଣସି ଶିଳ୍ପ ସଂସ୍ଥା ତାଙ୍କୁ ଦେଇପାରିବେ ନାହିଁ । ତେଣୁ ଏ ଯେଉଁ ଚୋର ଲୁଚକାଳି ଖେଳ ଖେଳୁଛି ବିଜେଡି ତାକୁ ବନ୍ଦ କରୁ।"