ପ୍ରଦୀପଙ୍କ ବିସ୍ଫୋରକ ବୟାନ, ହତ୍ୟାର ମାଷ୍ଟରପ୍ଲାନ ରଚିଥିଲେ ଅରୁଣ ବୋଥ୍ରା ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡର ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିଲେ ଅରୁଣ ବୋଥ୍ରା । ତୃତୀୟ ମହଲାର ବିଶ୍ବସ୍ତ ଅଧିକାରୀ ହେଉଛନ୍ତି ବୋଥ୍ରା । ସେହି ହିଁ ନବ ଦାସ ହତ୍ୟାକାଣ୍ଡର ପୁରା ଯୋଜନା କରିଥିଲେ । କେମିତି କିଭଳି ହତ୍ୟା କଲେ ପର୍ଦ୍ଦାଫାସ ହେବ ନାହିଁ ପୁରା ଯୋଜନା ପ୍ରସ୍ତୁତ କରିଥିଲେ ବୋଥ୍ରା । ହତ୍ୟାକାଣ୍ଡ ପରେ ସେହିଁ ଘଟଣାର ତଦନ୍ତ କରୁଛନ୍ତି । ଆରମ୍ଭରୁ ତଦନ୍ତ ଦିଶାହୀନ ହୋଇଛି। ଯିଏ ହତ୍ୟା ରଚନା କରିଥିଲେ ସେ କେମିତି ତଦନ୍ତ କରିବେ? ହତ୍ୟାକାରୀ ତ ସାମାନାରେ ଅଛି । ହତ୍ୟାର ଷଡଯନ୍ତ୍ରକାରୀ କିଏ ଏବେବି ରହସ୍ୟ ହୋଇରହିଛି । ନବ ଦାସ ହତ୍ୟାକାଣ୍ଡକୁ ନେଇ ଆଜି ଏପରି ସଂଗୀନ ଅଭିଯୋଗ ଆଣି ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ।
ଏହାବି ପଢନ୍ତୁ- Digital Dialogue: ‘ନବ ଦାସ ହତ୍ୟାକାଣ୍ଡ ତଦନ୍ତକୁ ମୁଁ ଗ୍ରହଣ କରୁନାହିଁ, ମୁଖ୍ୟମନ୍ତ୍ରୀ ଗୃହରେ ମିଛ କହିଛନ୍ତି’
ଆଜି ଭୁବନେଶ୍ବରରେ ଏକ ପ୍ରେସମିଟ କରି ପ୍ରଦୀପ କହିଛନ୍ତି, ‘‘ପୂର୍ବରୁ କହିଥିଲି ଆଜି ବି କହୁଛି, ମୁଖ୍ୟମନ୍ତ୍ରୀ ହେବାକୁ ନବ ଦାସଙ୍କ ଅଭିଳାଷ ଥିଲା । ଯେଉଁଥି ପାଇଁ ମହାରାଷ୍ଟ୍ର ଶନିମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ଫେରିଥିଲେ । ଏହି ଖବର ତୃତୀୟ ମହାଲ ସମେତ ନବୀନଙ୍କ ଅବର୍ତ୍ତମାନରେ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଛନ୍ତି ତାଙ୍କୁ ବିଚଳିତ କରିଥିଲା । ଯେଉଁଥି ପାଇଁ ନବ ଦାସଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର ହୋଇଥିଲା । ’’ ଏହି ହତ୍ୟାର ମାଷ୍ଟରପ୍ଲାନ ଆଇପିଏସ ଅରୁଣ ବୋଥ୍ରା ହିଁ ପ୍ରସ୍ତୁତ କରିଥିଲେ । ତାଙ୍କରି ପ୍ଲାନ ଅନୁସାରେ ହତ୍ୟା କରାଯାଇଛି । ଅରୁଣ ବୋଥ୍ରା ଓ ଅଭିଯୁକ୍ତ ଗୋପାଳର ସମ୍ପର୍କ ପୂର୍ବରୁ ରହିଛି । ଅରୁଣ ବୋଥ୍ରାଙ୍କ ପ୍ଲାନରେ ଗୋପାଳ ହତ୍ୟା କରିଛି । କିନ୍ତୁ ଏହି ହତ୍ୟାର ଷଡଯନ୍ତ୍ରକାରୀ କିଏ ତାହା ରହସ୍ୟ ହୋଇ ରହିଛି । ଅରୁଣ ବୋଥ୍ରାଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣି ପୁଣି ଥରେ ରାଜନୀତିର ପାରା ବଢାଇ ଦେଇଛନ୍ତି ପ୍ରଦୀପ ପୁରୋହିତ ।
ପ୍ରଦୀପ ଆହୁରି କହିଛନ୍ତି ନୟାଗଡର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡକୁ ନେଇ ଅରୁଣ ବୋଥ୍ରା ଯେଉଁ ରଚନା ରଚିଥିଲେ ତାହା ସଫଳ ହେବା ପରେ, ବୋଥ୍ରା ତୃତୀୟ ମହଲାର ବିଶ୍ବସ୍ତ ଅଧିକାରୀ ପାଲଟି ଯାଇଛନ୍ତି । ଆଉ ନବ ଦାସଙ୍କୁ ହଟାଇବା ପାଇଁ ଯେଉଁ ଯୋଜନା ହୋଇଥିଲା ତାହାକୁ ପ୍ରସ୍ତୁତ କରିଛନ୍ତି ଅରୁଣ ବୋଥ୍ରା । ସରକାର ଜାଣିଶୁଣି ଅରୁଣ ବୋଥ୍ରାଙ୍କୁ ହତ୍ୟାକାଣ୍ଡର ତଦନ୍ତ ପାଇଁ ଦାୟିତ୍ବ ଦେଇଛନ୍ତି । କାରଣ ଅରୁଣ ବୋଥ୍ରା ହତ୍ୟାକାଣ୍ଡର ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେବେ । ରାଜ୍ୟରେ ଯେତେ ରାଜନୈତିକ ହତ୍ୟାକାଣ୍ଡ ହେଉଛି ବୋଥ୍ରା ହିଁ ତାକୁ ମ୍ୟାନେଜ କରିବାରେ ସଫଳ ହେଉଛନ୍ତି । ଯେଉଁଥି ପାଇଁ ବୋଥ୍ରା ବିଶ୍ବସ୍ତ ପାଲଟିଯାଇଛନ୍ତି ।
ଏହାବି ପଢନ୍ତୁ- ମାଫିଆରାଜ ନେଇ ସପା ଉପରେ ଗର୍ଜିଲେ ଯୋଗୀ, କହିଲେ ମାଫିଆଙ୍କୁ ମାଟିରେ ମିଶାଇ ଦେବି
ଅରୁଣ ବୋଥ୍ରା ଯୋଜନା କରିଥିଲେ, କେମିତି ହତ୍ୟା କଲେ ଧରାପଡିବେ ନାହିଁ । କୌଣସି ପର୍ଦ୍ଦାଫାସ ହେବ ନାହିଁ । ଯିଏ ମାରିବା ପାଇଁ ପ୍ଲାନ କରିଥିଲେ, ସେ କେମିତି ତଦନ୍ତ କରୁଛନ୍ତି? ଫଳ କଣ ଆସିବ ଦେଖାଯାଉଛି । ହତ୍ୟାକାରୀ ତ ଧରାପଡିଲେ, ହତ୍ୟାର ଷଡଯନ୍ତ୍ରକାରୀ ମାନେ ଧରାପଡିଲେ ନାହିଁ । ହତ୍ୟାର ଷଡଯନ୍ତ୍ର ତ ବୋଥ୍ରା ପ୍ରସ୍ତୁତ କରିଦେଲେ । କିନ୍ତୁ ଗୋପାଳ କାହିଁକି ମାରିଲା ତାହାର ରଚନା ରଚିତ କରିପାରୁ ନାହାଁନ୍ତି । ଯେଉଁଥିପାଇଁ ଚୁପ ବସିଛନ୍ତି । ଅନ୍ଧାରରେ ବାଡି ବୁଲାଉଛନ୍ତି ବୋଲି ବଡ ଅଭିଯୋଗ ଆଣିଛନ୍ତି ପ୍ରଦୀପ । ତେବେ ପ୍ରଦୀପଙ୍କ ଏହି ସଂଗୀନ ଅଭିଯୋଗର କୌଣସି ଜବାବ ଶାସକ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିପାରି ନାହିଁ ।
ଇଟିଭି ଭାରତ, ଭୁବନେଶ୍ବର