ଓଡିଶା

odisha

ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୋହନ ମାଝୀଙ୍କ ବଡ଼ ବୟାନ, କହିଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର

By

Published : Feb 17, 2023, 8:57 PM IST

ନବ ଦାସ ହତ୍ୟାକାଣ୍ଡ ଓ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବଡ଼ ବୟାନ । ରାଜ୍ୟରେ ଯେଉଁଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି, ରାଷ୍ଟ୍ରପତି ଶାସନ ଜାରି ହେବା କଥା ବୋଲି କହିଲେ ମୋହନ ମାଝୀ । ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ଧମକ ଅଭିଯୋଗରେ କ୍ୟାପିଟାଲ ଥାନାରେ ଏତଲା ଦେବା ସମୟରେ ଏନେଇ ରାଜ୍ୟ ପାଳଙ୍କୁ ଦାବି ଜଣାଇଥିବା କହିଲେ ମୋହନ । ଅଧିକ ପଢ଼ନ୍ତୁ

ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର କହିଲେ ମୋହନ
ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର କହିଲେ ମୋହନ

ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର କହିଲେ ମୋହନ

ଭୁବନେଶ୍ବର: ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ନେଇ ତୃତୀୟ ମହଲାକୁ ସନ୍ଦେହ କରିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏନେଇ ସନ୍ଦେହ ପ୍ରକଟ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମୋହନ । ଏପରିକି ବର୍ତ୍ତମାନ ରାଜ୍ୟରେ ଯେପରି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି, ରାଷ୍ଟ୍ରପତି ଶାସନ ଜାରି ହେବା କଥା ବୋଲି କହିଛନ୍ତି ମୋହନ ମାଝୀ । ଏନେଇ ରାଜ୍ୟପାଳଙ୍କୁ ଭେଟି ସାମ୍ପ୍ରତିକ ପରିସ୍ଥିତିକୁ ପରଖି ଯାହା ଆବଶ୍ୟକ, ସେହି ଅନୁଯାୟୀ ପଦକ୍ଷେପ ନେବା ପାଇଁ ଦାବି କରିଛି ବିଜେପି ।

ନବ ଦାସ ହତ୍ୟାକାଣ୍ଡକୁ ନେଇ ବିବାଦ ଥମିବାର ନାଁ ଧରୁନି । ଏହି ଘଟଣାରେ ଶାସକ ଦଳର ସମ୍ପୃକ୍ତି ଥିବା ବାରମ୍ବାର ଅଭିଯୋଗ କରୁଛି ବିଜେପି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ଆନ୍ଦୋଳନ ଜାରି ରଖିଛି ବିଜେପି । ଏହାରି ଭିତରେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ଗୃହ ବିଭାଗର ପୋଲିସ ଅଧିକାରୀ ଯେଭଳି ବନ୍ଧୁକ ମୁନରେ କ୍ୟାବିନେଟ ମନ୍ତ୍ରୀକୁ ମାରିଦେଉଛି, ଏକଥା କରିବାକୁ ନା ଗୋପାଳ ଦାସର ସାହସ ଅଛି, ନା ଅନ୍ୟ କୌଣସି ପୋଲିସ ଅଫିସରର ନିଜ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ସାହସ ଅଛି । ଏଥିରେ ଯଦି ସରକାରଙ୍କ ଷଡ଼ଯନ୍ତ୍ର ନରହିବ, ଏହି ପ୍ରକାର ଘଟଣା ଘଟିବ ନାହିଁ ।" ଏପରିକି ରାଜ୍ୟରେ ଯେପରି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି, ରାଷ୍ଟ୍ରପତି ଶାସନ ଜାରି ହେବା କଥା ବୋଲି କହିଛନ୍ତି ମୋହନ ମାଝୀ ।

ସେ କହିଛନ୍ତି, "ରାଜ୍ୟରେ ଯେପରି ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିଛି, ଯେପରି କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ବିପ୍ରହରେ ହତ୍ୟା କରାଗଲା, ଯେପରି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ହତ୍ୟା ପାଇଁ ଶାସକ ଦଳ ଷଡ଼ଯନ୍ତ୍ର ରଚାଯାଇଛି, ବିଧାନସଭାକୁ ବିଧାୟକମାନେ କିପରି ସୁରକ୍ଷିତ ଭାବେ ଯାଇପାରିବେ ଏବଂ ଅରୂପ ଦାସଙ୍କ ଗୁଣ୍ଡାଗର୍ଦ୍ଦି ଧମକ ଦେବା ପ୍ରସଙ୍ଗରେ ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛୁ । ସଙ୍ଘୀୟ ବ୍ୟବସ୍ଥା ଆଧାରରେ ଆଇନ ଶୃଙ୍ଖଳା ଦାୟିତ୍ବ ରାଜ୍ୟସରକାରଙ୍କ ଉପରେ । ଯେତେବେଳେ ରାଜ୍ୟ ସରକାର ତାହା ସମ୍ଭାଳି ନପାରିବେ, ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇବ, ସେତେବେଳେ ନିଶ୍ଚିତ କେନ୍ଦ୍ରର ହସ୍ତକ୍ଷେପ ଆବଶ୍ୟକ ପଡିବ । ସେତେବେଳେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା କଥା ।" ଏହାର ସ୍ଥିତି ପରଖିବା ପାଇଁ ରାଜ୍ୟପାଳ ଏଠାରେ ଦାୟିତ୍ବରେ ଅଛନ୍ତି ବୋଲି କହିଛନ୍ତି ମୋହନ ।

ରାଜ୍ୟପାଳଙ୍କୁ ଭେଟି ଏହିସବୁ ଘଟଣା ଅବଗତ କରିଛି ବିଜେପି । କିଭଳି ଭାରତ ବର୍ଷର ଏକ ବଡ଼ ଘଟଣା, ଦିନ ଦ୍ବିପ୍ରହରେ ମନ୍ତ୍ରୀଙ୍କୁ ହତ୍ୟା କରାଗଲା, ଅଥଚ ୧୯ ଦିନ ହେବ ଏହାର ପ୍ରକୃତ କାରଣ ଧରାନପଡ଼ିବା ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ମୋହନ । ଜୟନାରାୟଣ ମିଶ୍ରଙ୍କୁ ନେଇ ପ୍ରଶାସକରୁ ରାଜନୀତିକୁ ଆସିଥିବା ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ବୟାନକୁ ବିରୋଧ କରିଛି ବିଜେପି । ଏନେଇ ଅରୂପଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେବା ସମୟରେ ଏଭଳି ବୟାନ ରଖିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ରାଜଭବନରୁ ଏକ ଶୋଭାଯାତ୍ରାରେ ବହାରି ବିଜେପିର ଏକ ଟିମ୍ ଆସି କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details