ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନବେଳେ ବିଜେପି ନେତାମାନେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଥିଲେ । ଏହା ସହ ଅତ୍ୟନ୍ତ ତଳ ସ୍ତରକୁ ଯାଇ କୁତ୍ସାରଟନା କରିବାକୁ ପଛାଇ ନଥିଲେ । ଏବେ ଝାରସୁଗୁଡ଼ା ଉପନିର୍ବାଚନରେ ମଧ୍ୟ ବିଜେପି ନେତାମାନେ ସମାନ ରଣନୀତି ଆପଣାଇଛନ୍ତି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ବ୍ୟକ୍ତିଗତ ଆକ୍ଷେପ ଓ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି । ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ବିରୋଧୀ ବିଜେପିର ଏଭଳି ହୀନ ରାଜନୀତିକୁ ବିଜୁ ଜନତା ଦଳ କଡ଼ା ନିନ୍ଦା କରିଛି ।
ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଯେତେବେଳେ ପଦ୍ମପୁରର ବିଧାୟକ ବିଜୟ ରଂଜନ ସିଂ ବରିହା ପ୍ରାଣ ହରାଇଲେ, ପଦ୍ମପୁରବାସୀ ଚାହିଁଲେ ତାଙ୍କ ଝିଅ ବର୍ଷା ସିଂ ବରିହା ରାଜନୀତିରେ ପ୍ରବେଶ କରନ୍ତୁ । ପଦ୍ମପୁର ପାଇଁ ତାଙ୍କ ବାପା ଦେଖିଥିବା ସ୍ୱପ୍ନକୁ ପୂରଣ କରନ୍ତୁ । ପଦ୍ମପୁରରେ ଉପନିର୍ବାଚନରେ ବର୍ଷା ରାଜନୀତିରେ ପ୍ରବେଶ କରି ଲୋକଙ୍କ ସେବା କରିବାକୁ ସ୍ଥିର କଲେ । ମାତ୍ର ଓଡ଼ିଶା ବିଜେପିର ନେତାମାନେ ବର୍ଷାଙ୍କୁ ରାଜନୈତିକ ଭାବେ ସମାଲୋଚନା କରିବା ପରିବର୍ତ୍ତେ ବ୍ୟକ୍ତିଗତ ସ୍ତରକୁ ଯାଇ ତାଙ୍କୁ କଟୁ ଆକ୍ଷେପ ଓ ଆକ୍ରମଣ କଲେ । ତାଙ୍କ ବିରୋଧରେ ଅତ୍ୟନ୍ତ ନିମ୍ନ ରୁଚିର ଅଶାଳୀନ ଶବ୍ଦ ବ୍ୟବହାର କଲେ । ଯାହାକି ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ନୁହେଁ ।
କେବଳ ସେତିକି ନୁହେଁ, ତାଙ୍କୁ ଟାର୍ଗେଟ କରି ସେମାନେ ଏମିତି କିଛି ମହିଳା ବିରୋଧୀ ମନ୍ତବ୍ୟ ମଧ୍ୟ ଦେଲେ, ଯାହାକି ଅଧିକ ଯନ୍ତ୍ରଣାଦାୟକ ଥିଲା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପ୍ରଦୀପ ପୁରୋହିତଙ୍କ ଭଳି ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ତଳ ସ୍ତରକୁ ଯାଇ ଏଭଳି ମନ୍ତବ୍ୟ ଦେଉଥିଲେ । ସ୍ୱାଭାବିକ ଭାବେ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଏଭଳି କହିବାକୁ ସେମାନଙ୍କୁ ଉସୁକାଉଥିଲେ । ସେମାନଙ୍କର ଏଭଳି ଆଚରଣ ଓ ଉଚ୍ଚାରଣ ବ୍ୟକ୍ତିଗତ ଭାବେ ବର୍ଷା ଏବଂ ତାଙ୍କ ପରିବାର ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା । ଓଡ଼ିଶା ବିଜେପିର ନେତାମାନେ ଏତେ ତଳ ସ୍ତରକୁ ଖସି ଯାଇପାରନ୍ତି ବୋଲି କାହାର ବିଶ୍ୱାସ ନଥିଲା । ମାତ୍ର ନିର୍ବାଚନରେ ଲଢ଼େଇ ପାଇଁ ଏହା ବର୍ଷାଙ୍କୁ ଅଧିକ ସଶକ୍ତ କରିଥିଲା ।