ଭୁବନେଶ୍ବର:ମହଙ୍ଗା ପଡିଲା ଋଣ ଖିଲାପ । ହୀନସ୍ତା ହେଲେ ବିଧାୟିକା ପ୍ରାର୍ଥିନୀ । ଘରୁ ଜିନିଷପତ୍ର କାଢ଼ି ଫିଙ୍ଗିବା ସହ ସିଲ୍ କଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ୬ କୋଟିର ଋଣ ପରିଶୋଧ ନକରିବା ନେଇ ବିଜେପି ନେତ୍ରୀ ତଥା ବିଧାୟିକା ପ୍ରାର୍ଥିନୀ ଇରାନୀ ରାୟ ଅଡ଼ୁଆରେ ପଡିଛନ୍ତି । ବ୍ୟାଙ୍କରୁ ଋଣ ନେଇ ପରିଶୋଧ ନକରିବାରୁ ଇରାନୀଙ୍କ ଭୁବନେଶ୍ବର ପଟିଆ ସ୍ଥିତ ଆଦର୍ଶ ବିହାର ଲେନ୍-୧ରେ ଥିବା ବିଳାସପୂର୍ଣ୍ଣ ଘରକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସିଲ୍ କରିଛି । ମଙ୍ଗଳବାର ବ୍ୟାଙ୍କ କର୍ତ୍ତୃପକ୍ଷ ପୋଲିସ ଉପସ୍ଥିତିରେ ଘରର ଆସବାବପତ୍ର ବାହାର କରିବା ସହିତ ଘରେ ସିଲ୍ ମାରି ନିଜ ଅକ୍ତିଆରକୁ ନେଇଛନ୍ତି ।
ସୂଚନା ମୁତାବକ, ୨୦୧୬ ମସିହାରେ ଇରାନୀ ରାୟ ଓ ତାଙ୍କ ସ୍ବାମୀ ଲାଲା ମନୋଜ ରାୟ ନିଜ ଘର ବନ୍ଧକ ରଖି ପିଏନ୍ବିରୁ ୪ କୋଟିରୁ ଅଧିକ ଟଙ୍କା ଲୋନ ନେଇଥିଲେ । ଦେଢ଼ ବର୍ଷ ଯାଏଁ ଲୋନ ବାବଦରେ କିସ୍ତି ପୈଠ କରୁଥିଲେ । ହେଲେ କିଛି ଦିନ ପରେ କିସ୍ତି ଦେବା ବନ୍ଦ କରି ଦେଇଥିଲେ । ଏନେଇ ବ୍ୟାଙ୍କ ପକ୍ଷରୁ ସିଜେଏମ କୋର୍ଟରେ ଅଭିଯୋଗ କରାଯାଇଥିଲା । ଯାହାକୁ ବିଚାର କରି କୋର୍ଟ ଇରାନୀ ରାୟଙ୍କ ଘର ଖାଲି କରି ନିଜ ଅକ୍ତିଆରକୁ ନେବାକୁ ଅନୁମତି ଦେଇଥିଲେ ।
ଏହାପରେ ଗତ ଜୁଲାଇ ୧ ତାରିଖ ଦିନ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ପଟିଆ ସ୍ଥିତ ସେହି ଘରକୁ ଯାଇ ଲୋନ ସମ୍ପର୍କରେ ଅବଗତ କରାଇଥିଲେ । କୋର୍ଟ ଅର୍ଡର କପି ମଧ୍ୟ ଦେଖାଇଥିଲେ । ତେବେ ଲୋନ ବାବଦରେ କୌଣସି ଭରଣା ନକରିବାରୁ ଶେଷରେ ୧୦ଦିନ ପରେ ପୋଲିସ ସହ ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ଘର ଭିତରୁ ଟିଭି, ଫ୍ରିଜ୍ ଏବଂ ଅନ୍ୟାନ୍ୟ ଆସବାବପତ୍ର ଖାଲି କରାଯାଇଛି । ଇରାନୀ ରାୟଙ୍କ ଘର ବ୍ୟାଙ୍କ ଦଖଲ କରିବା ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।
ଏହାମଧ୍ୟ ପଢନ୍ତୁ: OTP sharing Case: ପାକିସ୍ତାନ ଆର୍ମିର ହାତ ଥିବା ସନ୍ଦେହ, ଜେଲ ଗଲା ଅଭିଯୁକ୍ତ ଅଭିଜିତ
କାରଣ ଇରାନୀ ରାୟ ବିଜେପିର ଜଣେ ଟାଣୁଆ ନେତ୍ରୀ । ସେ ଗତ ୨୦୧୯ ନିର୍ବାଚନରେ ନୟାଗଡ଼ରୁ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ଏପରିକି ତାଙ୍କ ସ୍ବାମୀ ଲାଲା ମନୋଜ ରାୟ ବିଜେପିର ନୟାଗଡ଼ ଜିଲ୍ଲା ସଭାପତି ଅଛନ୍ତି । ଏଥିପାଇଁ ସେ ମଧ୍ୟ ନୟାଗଡ ରାଜନୀତିରେ ବେଶ୍ ସକ୍ରିୟ ଥିବାବେଳେ ବିଜେପି ପାଇଁ ଭଲ ଫିଲ୍ଡ ତିଆରି କରିଛନ୍ତି । ଲାଲା ମନୋଜ ନୟାଗଡ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ଅରୁଣ ସାହୁଙ୍କୁ ଜୋରଦାର ବିରୋଧ କରିଥିଲେ । ତେବେ ତାଙ୍କ ଘର ସିଲ୍ ହେବା ନେଇ ଇରାନୀ କି ତାଙ୍କ ସ୍ଵାମୀଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।
ଇଟିଭି ଭାରତ, ଭୁବନେଶ୍ବର