ଓଡିଶା

odisha

ETV Bharat / state

ଜୟ ନାରାୟଣଙ୍କ ନାଁ ଶୁଣିବା ମାତ୍ରେ ବିଜେଡି ନେତା ଛାନିଆ: ଦିଲୀପ ମଲ୍ଲିକ - ବିଜେଡି ନେତା ଛାନିଆ

ସମ୍ବଲପୁରର ବିଜେପି ବିଧାୟକ ତଥା ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ନାଁ ଶୁଣିଲେ ବିଜେଡି ନେତାମାନେ ଡ଼ରିକି ଛାନିଆ ହୋଇ ଯାଉଛନ୍ତି । ଏକ ପ୍ରେସବାର୍ତ୍ତା ମାଧ୍ୟମରେ ଏଭଳି କହିଛନ୍ତି ବିଜେପି ନେତା ଦିଲୀପ । ଅଧିକ ପଢ଼ନ୍ତୁ

ଦିଲୀପ ମଲ୍ଲିକ
ଦିଲୀପ ମଲ୍ଲିକ

By ETV Bharat Odisha Team

Published : Sep 9, 2023, 10:53 AM IST

ଭୁବନେଶ୍ବର: ବିଜେପିର ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକଙ୍କ ବଡ଼ ବୟାନ । ସମ୍ବଲପୁରର ବିଜେପି ବିଧାୟକ ତଥା ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ନାଁ ଶୁଣିଲେ ବିଜେଡି ନେତାମାନେ ଡ଼ରିକି ଛାନିଆ ହୋଇ ଯାଉଛନ୍ତି । ଏକ ପ୍ରେସବାର୍ତ୍ତା ମାଧ୍ୟମରେ ଏଭଳି କହିଛନ୍ତି ବିଜେପି ନେତା ଦିଲୀପ ।

ଦିଲ୍ଲୀପ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ପ୍ରତିଦିନ ଅଣ ଓଡ଼ିଆ ଅଧିକାରୀଙ୍କ ବିଜେଡି ନେତାଙ୍କୁ ନୂଆ ନୂଆ ନିର୍ଦ୍ଦେଶ ଆଉ ହାକିମାତି ମିଳୁଛି । ବିଜେଡି ନେତାମାନେ ଏବେ କେତେ ମାନସିକ ଦୁଶ୍ଚିନ୍ତାରେ ବଞ୍ଚୁଛନ୍ତି ତାହା ତାଙ୍କ ବକ୍ତବ୍ୟରୁ ବୁଝାପଡି ଯାଉଛି । ଆଉ କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବ । ତେବେ ଆଗାମୀ ବିଧାନସଭାରେ ଜୟ ନାରାୟଣଙ୍କୁ କେମିତି ସାମ୍ନା କରିବେ ସେଥିପାଇଁ ବିଜେଡି ଦଳର ନେତାମାନେ ଏବେଠୁ ଭାରି ଭୟଭୀତ । ଏମିତି ଭୟଭୀତ ହୋଇ ଦିନ କାଟୁଛନ୍ତି ବିଜେଡି ନେତା । ଜୟ ନାରାୟଣଙ୍କ ସ୍ୱାସ୍ଥ୍ୟକୁ ନେଇ ଅରୁଚିକର ଓ ଶସ୍ତା ବକ୍ତବ୍ୟ ଦେଉଥିବା ବିଜେଡି ନେତାମାନେ ତାଙ୍କର ମୁଖିଆଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଟିକେ ଖବର ରଖନ୍ତୁ । ମୁଖ୍ୟମନ୍ତ୍ରୀ ଚାଲିବୁଲି ପାରୁଛନ୍ତି ତ ? ମୁଖ୍ୟମନ୍ତ୍ରୀଙ୍କର ମାନସିକ ଓ ଶାରୀରିକ ଅବସ୍ଥା ଠିକ ଅଛିକି ନାହିଁ ସେନେଇ ଲୋକଙ୍କ ମନରେ ସନ୍ଦେହ ହେଲାଣି’’ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ବିଜେଡି ନେତାଙ୍କ ନାହିଁ ରକ୍ତ ମାଂସ; ‘ସ୍ବାଭିମାନ ଓ ଆତ୍ମସମ୍ମାନକୁ ଜଳାଞ୍ଜଳି ଦେଇ ଅଫିସର ଶରଣରେ ନେତା’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଯେଉଁଭଳି ଅଗଣତାନ୍ତ୍ରିକ ବ୍ୟବସ୍ଥା ଚାଲିଛି ତାହା ବିରୋଧରେ ଭାରତୀୟ ଜନତା ପାର୍ଟିର ଲଢେ଼ଇ କରୁଛି । ଏହି ଲଢ଼େଇରେ ବିଜେପି ସହିତ ସାରା ଓଡିଶା ଲୋକ ଠିଆ ହୋଇଛନ୍ତି । 5ଟି ନାଁରେ ଯେଉଁଭଳି ଭାବରେ 50% ପିସି ଆଦାୟ କରାଯାଇଛି ତାହା ଓଡିଶା ଲୋକଙ୍କ ଦୁଃଖକୁ ଆହୁରି ଦୁଇ ଗୁଣ କରୁଛି । ନବୀନ ବାବୁ ଏସି ଲଗେଇ ଆରାମ କରୁଛନ୍ତି । ଆଉ ଏପଟେ ଓଡିଶା ଲୋକ ଦୁର୍ନୀତି, ଭ୍ରଷ୍ଟାଚାର ଆଉ ଗୁଣ୍ଡାରାଜରେ ଛଟପଟ ହେଉଛନ୍ତି । 5ଟି ଯନ୍ତ୍ରଣାରୁ ଓଡିଶାଲୋକେ ସବୁଦିନ ପାଇଁ ମୁକ୍ତି ପାଇବା ପାଇଁ ବ୍ୟାକୁଳ ହେଲେଣି ବୋଲି ଦିଲ୍ଲୀପ କହିଛନ୍ତି ।

ସୂଚନାଯୋଗ୍ୟ, ଜୟ ନାରାୟଣ ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଟିପ୍ପଣୀ ଦେଇଥିଲେ । ଲେନିନ କହିଥିଲେ ଯେ, କିଛି ଦିନ ତଳେ ଜୟ ନାରାୟଣ କିଡ଼ନୀ ଏବଂ ମାନସିକ ରୋଗ ଚିକିତ୍ସା ପାଇଁ ଯାଇଥିଲେ । କିଡ଼ନୀ ଟ୍ରିଟମେଣ୍ଟ କରିଛନ୍ତି କିନ୍ତୁ ମେଣ୍ଟାଲ ଟ୍ରିଟମେଣ୍ଟ ଅଧାରେ ଛାଡି ଚାଲିଆସିଛନ୍ତି । ଫଳରେ ତାଙ୍କ ଆଚରଣ, ଉଚ୍ଚାରଣ ହରାଇଛନ୍ତି । ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଯେମିତି ହୁଏ ସେମିତି ହେଉଛନ୍ତି । ପାଗଳ ଭଳି ବ୍ୟବହାର କରୁଛନ୍ତି । ଜୟଙ୍କୁ 5ଟି ଭୂତ ଘାରିଛି । ଯେଉଁଆଡେ ଯାହା ଦେଖୁଛନ୍ତି ତାଙ୍କୁ 5ଟି ଦେଖାଯାଉଛି । ସୌମ୍ୟ ପଟ୍ଟନାୟକଙ୍କୁ ମଧ୍ୟ ସେ ଅଘାଡ଼ ସମର୍ଥନ ଦେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details