ଭୁବନେଶ୍ବର:5T ସଚିବ ହେଲିକପ୍ଟରରେ ଯାତ୍ରା କରି ସରକାରୀ ଅର୍ଥର ଅପବ୍ୟୟ କରୁଥିବା ନେଇ ଅଭିଯୋଗ କରିଛି ବିଜେପି । ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ସଚିବଙ୍କ ଗସ୍ତରେ ହୋଇଥିବା ଖର୍ଚ୍ଚ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସରକାରୀ ଅର୍ଥକୁ ହେଲିକପ୍ଟର ବୁଲାରେ ଅନୈତିକ ଭାବେ ଖର୍ଚ୍ଚ କରାଯାଉଛି ବୋଲି ବିଜେପି ଅଭିଯୋଗ କରିଥିବାବେଳେ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ଏନେଇ ପ୍ରେସମିଟ୍ କରିଛନ୍ତି।
ରିପୋର୍ଟ ଦେଖାଇ ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି, "14 ମେ 2023ରେ 5T ସଚିବ ଭୁବନେଶ୍ୱରରୁ ଅନୁଗୋଳ ଯାଇଛନ୍ତି । ସେଦିନ ସେଠାରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିଲା । ସେ ବିଜେଡି ବିଧାୟକ ମୁକେଶ ପାଲଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯାଇଥିଲେ । ତାହେଲେ କାହିଁକି ହେଲିକପ୍ଟର ବ୍ୟବହାର କରି ଯାଇଥିଲେ ? ସରକାର କହୁଛନ୍ତି, ସରକାରୀ କାମରେ ହେଲିକପ୍ଟର ବ୍ୟବହାର କରୁଛନ୍ତି ହେଲେ ଏଇଟା କ'ଣ ସରକାରୀ କାର୍ଯ୍ୟକ୍ରମ ? ସେହିପରି 28 ଜୁନରେ 5T ସଚିବ ତାଳଚେର ଯାଇଥିଲେ । ସେଠାରେ ମଧ୍ୟ ସରକାରୀ କାର୍ଯ୍ୟକ୍ରମ ନଥିଲା। ସେ ସ୍ଥାନୀୟ ବିଧାୟକଙ୍କ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ।"
ବିଜେପି ପ୍ରଶ୍ନ କରିଛି, "ବ୍ୟକ୍ତିଗତ ଆମୋଦ ପ୍ରମୋଦ ପାଇଁ ସଚିବ ହେଲିକପ୍ଟର ବ୍ୟବହାର କରିପାରିବେ କି ? ସରକାରୀ ଅର୍ଥର ଅପବ୍ୟବହାର କରାଯାଉ ନାହିଁ କି ? 5 କିଲୋମିଟର ଯିବା ପାଇଁ କାହିଁକି ବ୍ୟବହାର କରାଯାଉଛି ? ବାହାଘର ଭୋଜି ଖାଇବା ପାଇଁ ସଚିବମାନେ ସରକାରୀ ହେଲିକପ୍ଟର ବ୍ୟବହାର କରିପାରିବେ କି? ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ଏହାର ଉତ୍ତର ଦିଅନ୍ତୁ । ଏଜି ଏବଂ ଲୋକାୟୁକ୍ତ ଏହି 2 ଦିନର ହେଲିକପ୍ଟର ବୁଲା ଉପରେ କ'ଣ ପଦକ୍ଷେପ ନେବେ, ଆମେ ଅପେକ୍ଷା କରିଛୁ ।"