ଭୁବନେଶ୍ବର: ହାଇଟେକ୍ ହସ୍ପିଟାଲ ଦୁର୍ଘଟଣା ପ୍ରସଙ୍ଗ ଏବେ ସାରା ଦେଶରେ ଚର୍ଚ୍ଚିତ ଖବର ପାଲଟିଛି । ଏହି ପ୍ରସଙ୍ଗରେ ରାଜ୍ୟ ରାଜନୀତି ମଧ୍ୟ ଜୋରଦାର ହୋଇଛି । ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ରାଜ୍ୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପ୍ରସଙ୍ଗ କରି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ହାଇଟେକ୍ ମେଡିକାଲ କଲେଜର ମାଲିକଙ୍କ ଉପରେ କାହିଁକି ଏବେ ଯାଏଁ ହତ୍ୟା ମାମଲା ରୁଜୁ କରାଯାଇନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । ହସ୍ପିଟାଲ ମାଲିକ ବିଜେଡି ଦଳର ହୋଇଥିବାରୁ ତାଙ୍କ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି । ତୁରନ୍ତ ଦୋଷୀମାନଙ୍କୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ 1 କୋଟି ଟଙ୍କା କ୍ଷତିପୂରଣ ଏବଂ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଠାରୁ ଆଦାୟ କରି ରାଜ୍ୟ ସରକାର ଦିଅନ୍ତୁ ବୋଲି ଦାବି କରିଛି ଦଳ ।
ସେହିପରି ଆଇଟି ରେଡ୍ ପ୍ରସଙ୍ଗରେ ମନୋଜ କହିଛନ୍ତି, "ଓଡ଼ିଶାରେ ମଦ ବ୍ୟବସାୟୀଙ୍କ ଉପରେ ଆଇଟି ରେଡ୍ ହେବା ଏବଂ 350 କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାକୁ ମାସେ ପୁରିଲା । ହେଲେ 350 କୋଟି ଟଙ୍କା କାହାର ଏବେ ଯାଏଁ ଜଣାପଡିଲା ନାହିଁ । ସାହୁ ବ୍ରଦର୍ସ ସହ ବିଜେଡିର ସମ୍ପର୍କ କଣ ? ଯଦି ମୁଖ୍ୟମନ୍ତ୍ରୀ ନିଜକୁ ସ୍ଵଚ୍ଛ ଭାବୁଛନ୍ତି, ତେବେ ଜଷ୍ଟିସ ଅରିଜିତ ପଶାୟତ ଉପାଧ୍ୟକ୍ଷ ଥିବା (SIT ON BLACK MONEY) ଦ୍ଵାରା ତଦନ୍ତ କରିବା ପାଇଁ ଚିଠି ଲେଖନ୍ତୁ । ଡିସେମ୍ବର 5 ତାରିଖରେ ବିଡା ବିଡା ଟଙ୍କା ବାହାରିଲା । କିନ୍ତୁ ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ସହ କାହାର ସମ୍ପର୍କ ଥିଲା, ତାହା ଏବେ ଯାଏଁ ଜଣାପଡିଲା ନାହିଁ । ନିଜେ ଧୀରଜ ସାହୁ ମହୁଲ କିଣିବା ପାଇଁ ଏତେ ପରିମାଣରେ ଅର୍ଥ ଜମା କରିଥିଲେ । କିଛି ଅର୍ଥ ମହୁଲ ଚାଷୀଙ୍କୁ ଓ ଆଉ ବାକି ଅର୍ଥ ରାଜ୍ୟ ସରକାରଙ୍କ ମଦ ନୀତି ଅନୁସାରେ ରାଜସ୍ବ ଦେବା ପାଇଁ ଟଙ୍କା ରଖିଥିଲେ । ଯଦି ମହୁଲ ଚାଷୀଙ୍କ ଟଙ୍କା ବାକି ଅଛି, ତେବେ ସେମାନଙ୍କୁ ତୁରନ୍ତ ଅର୍ଥ ଦିଆଯାଉ ।" ଏହାସହ ଏହି ଅର୍ଥ ସରକାରଙ୍କୁ ରାଜସ୍ବ ଦେବା ପାଇଁ ରଖାଯାଇଥିଲା ନା ବିଜେଡିକୁ ଫଣ୍ଡିଂ ଦେବା ପାଇଁ ଥିଲା ବୋଲି ପ୍ରଶ୍ନ କରିଛି ବିଜେପି ।