ଭୁବନେଶ୍ବର:ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଆରୋପ ପ୍ରତ୍ୟାରୋପର ରାଜନୀତି ଜାରି ରହିଛି । ପ୍ରଥମେ ବିଜେଡି ପରେ ଆଜି ବିଜେପି ମଧ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା । ପଦ୍ମପୁରରେ ବିଜେପି ଷ୍ଟାର ପ୍ରଚାରକଙ୍କ ଗାଡ଼ିକୁ ବରଗଡ଼ ଏସପିଙ୍କ ଦ୍ଵାରା ଟ୍ରାକ କରାଯାଉଥିବା ଅଭିଯୋଗ ଆଣିଲା ବିଜେପି ।
ଏହାକୁ ନେଇ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "କିଛି GRSଙ୍କୁ କେବଳ ଟ୍ରାନ୍ସଫର୍ କରାଯାଇଛି କିନ୍ତୁ ମୁଖ୍ୟ ନେତୃତ୍ବ ନେଉଥିବା GRS ଏବେବି ବିଜେଡି ପାଇଁ କାମ କରୁଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପାଇକମାଲରେ ଏକ ସଭାରେ PHCକୁ CHC କରିବେ ଓ ପଦ୍ମପୁରରେ ହସ୍ପିଟାଲ ଘୋଷଣା କରିଛନ୍ତି । ଯାହାକି ନିର୍ବାଚନ ଆଚରଣ ବିଧି କୁ ଉଲ୍ଲଙ୍ଘନ କରୁଛି ।" ଏହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛି ବିଜେପି । ଖାଲି ସେତିକି ନୁହେଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବାକୁ ଦାବି କରିଛି ବିଜେପି ।