ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ୫ ଦିନ ବାକି ଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ଭରି ରହିଛି । ଦଳ ବଦଳ ପ୍ରତିଯୋଗିତା ସହ ଲାଗି ରହିଛି ଆରୋପ ପ୍ରତ୍ୟାରୋପର ରାଜନୀତି । ତେବେ ଉପନିର୍ବାଚନ ପୂର୍ବରୁ ଆଜି ମଙ୍ଗଳାବଜାରରେ ଉଭୟ ବିଜେପି ଓ ବିଜେଡି କର୍ମୀଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଏହାସହ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ରହିଥିବା ସମ୍ବେଦନଶୀଳ ବୁଥରେ ଅଧିକ ସୁରକ୍ଷା ଦାବିରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେପି । ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ସେପଟେ ବିଜେପି ଷ୍ଟାର ପ୍ରଚାରକ ମଙ୍ଗଳ ସାହୁ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।
ଏନେଇ ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ରାଜ୍ୟରେ ଆଇନର ଶାସନ ଚାଲୁନାହିଁ । ଏହି ଉପନିର୍ବାଚନ ହିଁ ତାର ବଡ଼ ଉଦାହରଣ । କାରଣ ସେଠାରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ନବ ଦାସଙ୍କୁ ହତ୍ୟା କରାଯାଇଛି । ସେଥିପାଇଁ ଏହି ଉପନିର୍ବାଚନ ହେଉଛି । ଝାରସୁଗୁଡ଼ା ଅଞ୍ଚଳରେ ବିଜୁ ଜନତା ଦଳ ଗୁଣ୍ଡାରାଜ କରୁଛି । ସେହିପରି ଝାରସୁଗୁଡ଼ାରେ ଯେଉଁ ୨୫୩ଟି ବୁଥ ଅଛି, ସେଥିରୁ ୭୧ଟି ବୁଥ ସମ୍ବେଦନଶୀଳ । ଏନେଇ ଆମେ ଆପତ୍ତି କରିଛୁ ଯେ, ଯୁଗ୍ମ ବୁଥରେ ଡ୍ରୋନ କ୍ୟାମେରା ଲଗାଯାଉ, ସିସିଟିଭି ଲଗାଯାଉ । ଓଡ଼ିଶା ପୋଲିସ ବାଦ୍ ଦେଇ କେନ୍ଦ୍ରୀୟ ପୋଲିସ ମୁତୟନ କରାଯିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଛୁ ।" ବିଜେପି ଚାହୁଁଛି ନିରପେକ୍ଷ ନିର୍ବାଚନ ହେଉ ।