ଓଡିଶା

odisha

By

Published : Jun 19, 2023, 6:13 PM IST

ETV Bharat / state

ବିଜେଡି ସରକାରରେ ଶକ୍ତିମନ୍ତ୍ରୀ ଥିବା ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: ବିଜେପି

ରାଜ୍ୟରେ ବିଜୁଳି ବିଭ୍ରାଟ ନେଇ ରାଜନୀତି ଜୋର ଧରିଛି । ବିଜୁଳି ବିଭାଗରେ ଗତ ୧୦ ବର୍ଷରେ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସରକାର କହୁଥିବା ବେଳେ ଏଥିରେ ମହାଦୁର୍ନୀତିର ଗନ୍ଧ ବାରିଛି ବିଜେପି । ଏନେଇ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ଦାବି କରି ରାଜ୍ୟପାଳଙ୍କୁ ଭେଟିଛି ବିଜେପି । ଅଧିକ ପଡ଼ନ୍ତୁ

ରାଜ୍ୟପାଳଙ୍କୁ ଭେଟିଲା ବିଜେପି
ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର: ବିଜୁଳି ଭିତ୍ତିଭୂମିରେ ମହାଦୁର୍ନୀତି ଅଭିଯୋଗ ଆଣିଲା ବିଜେପି । ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପିର ଏକ ପ୍ରତିନିଧି ମଣ୍ଡଳୀ । ବିଦ୍ୟୁତ୍‌ ବିଭାଗରେ ୧୫ ହଜାର କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । ଏନେଇ ରାଜ୍ୟପାଳଙ୍କୁ ଭେଟି କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ଦାବି କଲା ଦଳ । ବର୍ତ୍ତମାନର ଶକ୍ତିମନ୍ତ୍ରୀଙ୍କ ସମେତ ବିଜେଡି ସରକାରରେ ଶକ୍ତିମନ୍ତ୍ରୀ ଦାୟିତ୍ବରେ ଥିବା ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ କହିଲା ବିଜେପି ।

ଏନେଇ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ କହିଛନ୍ତି, "ଓଡିଶା ବିଦ୍ୟୁତ୍‌ କାଟ୍‌ରେ ରେକର୍ଡ ସୃଷ୍ଟି କରିଛି । ଏଠାରେ ମନ୍ତ୍ରୀଙ୍କ କଥାରେ କୌଣସି ମୂଲ୍ୟ ନାହିଁ । ପ୍ରଥମେ ମନ୍ତ୍ରୀ କହିଲେ ଏବର୍ଷ ଲାଇନ୍‌ କଟିବ ନାହିଁ । ପରେ ଲାଇନ କଟିବାରୁ କହିଲେ ପାୱାର୍‌ କଟ୍‌ ନୁହେଁ, ପାୱାର ଟ୍ରିପ ହେଉଛି । ପରେ କହିଲେ ଝଡ଼ ପବନରେ ଲାଇନ କଟିବ, ଆମେ କିଛି କରିପାରିବୁ ନାହିଁ । ହେଲେ ଏହାପରେ କିଛି ଝଡ଼ କିମ୍ବା ପବନ ନଥାଇ ମଧ୍ୟ ବାରମ୍ବାର ଲାଇନ କଟିଲା । ଏହାପରେ ମନ୍ତ୍ରୀ କହିଲେ ଭିତ୍ତିଭୂମି ଦୁର୍ବଳ ରହିଛି । ଗତ ୧୦ ବର୍ଷରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଓଡ଼ିଶାବାସୀଙ୍କର ୨୦ ହଜାର ଟଙ୍କା ବିଦ୍ୟୁତ ବିଭାଗକୁ ଦେଇଛନ୍ତି । ସେହି ଟଙ୍କା କେଉଁଠାରେ ଖର୍ଚ୍ଚ ହୋଇଛି ? ଆମକୁ ଏହା ଭିତରେ ଏକ ବଡ଼ ଦୁର୍ନୀତି ରହିଥିବା ଲାଗୁଛି । ଏହି ଦୁର୍ନୀତିର ଖୁଲାସା କରିବା ପାଇଁ ଆଜି ଆମେ ରାଜ୍ୟପାଳଙ୍କୁ ଭେଟି ଏ ବାବଦରେ ଅବଗତ କରାଇଛୁ ।"

ସେପଟେ ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, "ବିଜୁଳି ବିଭ୍ରାଟ ଘଟଣାଟି ଦଶନ୍ଧୀର ସବୁଠାରୁ ବଡ଼ ଦୁର୍ନୀତି । ଏଥିରେ ଆମେ ସମସ୍ତେ ପୀଡ଼ିତ । ଗତ ୧୦ ବର୍ଷରେ ଏଥିରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା ସରକାର କହିଲେ । କିନ୍ତୁ ଟାଟା ପାୱାର କମ୍ପାନୀ କହୁଛି ୫୦୦୦ କୋଟି ଟଙ୍କାର ଭିତ୍ତିଭୂମି ଅଛି । ଆଉ ୧୫ ହଜାର କୋଟି ଟଙ୍କା କେଉଁଆଡ଼େ ଗଲା, ଏହାର ଉତ୍ତର ସରକାର ରଖିବା ଦରକାର । ଏ ଦୁର୍ନୀତି କରିଛି କିଏ ? କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଏହାର ତଦନ୍ତ ହେଉ । ବିଜେଡି ସରକାରର ଶକ୍ତି ମନ୍ତ୍ରୀ ଦାୟିତ୍ବରେ ଥିବା ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।"

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେବ ରାଜ୍ୟରେ ପାୱାର୍‌ କଟ୍‌କୁ ନେଇ ରାଜନୀତି ଜୋର ଧରିଛି । ବାରମ୍ବାର ଲାଇନ୍‌ କାଟ୍‌ ହେଉଛି । ନିରନ୍ତର ବିଦ୍ୟୁତ ଯୋଗାଣରେ ସରକାର ସମ୍ପୂର୍ଣ୍ଣ ଫେଲ ହୋଇଥିବା ନେଇ ବିଜେପି ସବୁ ନିର୍ବାଚନମଣ୍ଡଳୀର ବିଦ୍ୟୁତ କାର୍ଯ୍ୟାଳୟରେ ବିକ୍ଷୋଭ କରିସାରିଛି । ରାଷ୍ଟ୍ରପତିଙ୍କ ସଭାରେ ମଧ୍ୟ ପାୱାର କଟ ହେଲା । କଳିଙ୍ଗ ଷ୍ଟାଡିୟମରେ ଫୁଟବଲ ମ୍ୟାଚ୍ ଚାଲିଥିବା ସମୟରେ ମଧ୍ୟ ବାରମ୍ବାର ଲାଇନ୍ କଟିଲା । ଖେଳାଳୀମାନେ ଅନ୍ଧାରରେ ରହିଲେ । ଓଡ଼ିଶା ବିଦ୍ୟୁତ୍ ବଳକା ରାଜ୍ୟ ବୋଲି ସରକାର କହୁଛନ୍ତି, ହେଲେ କୌଣସି ବଳକା ରାଜ୍ୟରେ ଏମିତି ବାରମ୍ବାର ପାୱାର୍‌ କଟ୍‌ ହେଉନଥିବ ବୋଲି ବିଜେପି କହିଛି । ସରକାର ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇ ଟାଟା ପାୱାର୍‌ ଉପରେ ଦୋଷ ଦେଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details