ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଗତକାଲି (ସୋମବାର) ରାତିରେ ରାଜଧାନୀରେ ବିରୋଧ କରାଯିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଭାବେ ବିରୋଧ ପ୍ରୟାସ ବିଫଳ ହୋଇଛି ବୋଲି ଗତକାଲି ଅଭିଯୋଗ କରିଥିଲେ ନିଜେ ଅପରାଜିତା । ଆଜି ଅପରାଜିତା ଏନେଇ କ୍ଷୋଭ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ । ଅନ୍ୟପଟେ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । 43 ନମ୍ବର ୱାର୍ଡର କର୍ପୋରେଟରଙ୍କ ପରିବାର ଏପରି ଘଟଣା ଘଟାଇଥିବା ସେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଗତକାଲି ବିରୋଧ କରାଯାଇଥିଲା । ଭୁବନେଶ୍ବର ମହାନଗର ନିଗମ ଅଧୀନ କଟକ ରୋଡ଼ ବୁଦ୍ଧେଶ୍ବରୀ କଲୋନୀ ନିକଟ 43 ନଂ ୱାର୍ଡରେ ସନ୍ଧ୍ୟା ପ୍ରାୟ ୮ଟାରେ ଅପରାଜିତାଙ୍କ ଗାଡ଼ିକୁ ଅଟକାଇ ହୋହଲ୍ଲା କରିଥିଲେ କିଛି ସ୍ଥାନୀୟ ଲୋକେ । ଏନେଇ କ୍ଷୋଭ ପ୍ରକାଶ କରିଥିଲେ ଅପରାଜିତା ସେ କହିଥିଲେ, "ମୁଁ ରାଜ୍ୟ ସରକାରଙ୍କ ଦୟାରେ ସାଂସଦ ହୋଇନାହିଁ । ମୋତେ ଦୁଇ ଘଣ୍ଟା ଅଟକାଇ ଦିଆଗଲା । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଭାବେ ବିରୋଧ ପ୍ରୟାସ ବିଫଳ ହୋଇଛି ।" ସେହିପରି ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି ଭୁବନେଶ୍ବର ସାଂସଦ । ସେ ଲେଖିଛନ୍ତି, "ଭୁବନେଶ୍ବର ୱାର୍ଡ ନଂ 43ରେ ଲକ୍ଷ୍ମୀସାଗର ପୁରୁଣା ଡାକଘର ଗଳିରେ ଦୁଇ ଘଣ୍ଟା ଧରି କିଛି ଅସାମାଜିକ ଲୋକେ ମୋତେ ଅଟକ ରଖିଥିଲେ । ମୁଁ ସ୍ଥାନୀୟ ଲୋକଙ୍କ ନିମନ୍ତ୍ରଣକ୍ରମେ ସେଠାକୁ ଯାଉଥିଲି । ମୁଁ ପୋଲିସକୁ ଅପେକ୍ଷା କରି କାର୍ ଭିତରେ ୨ ଘଣ୍ଟା ବସି ରହିଲି । ମୋର ଦୁଇ ଘଣ୍ଟା ସମୟ ନଷ୍ଟ ହେଲା । ମୁଖ୍ୟମନ୍ତ୍ରୀଙ୍କ କାରକେଡ୍କୁ ୫ ମିନିଟ୍ ଅଟକାଯାଇପାରିବ କି ? ସୁରକ୍ଷା ନେଇ ପୋଲିସର ଏଭଳି ପାତରଅନ୍ତର ନୀତି ମୋତେ ଦୁଃଖ ଦେଇଛି ।"