ଭୁବନେଶ୍ବର:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି । ଶାସକ ଦଳ ବିଜେଡି ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତିକୁ ନେଇ ନିଜର ପ୍ରଚାର ପ୍ରସାର କରୁଥିବା ବିଜେପି ଅଭିଯୋଗ କରିଛି । ଏହି ସରକାରରେ ଜଗନ୍ନାଥ ସଂସ୍କୃତି ବେଶୀ କ୍ଷତି ହୋଇଛି ବୋଲି ମଧ୍ୟ ବିଜେପି ଅଭିଯୋଗ କରିଛି । ଏହାସହିତ ଚାରିଦ୍ବାର, ରତ୍ନଭଣ୍ଡାର ଖୋଲିବା ପାଇଁ ମଧ୍ୟ ବିଜେପି ଦାବି କରିଛି ।
ରାଜ୍ୟ ବିଜେପି ମୁଖପାତ୍ର ବିରଞ୍ଚ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,"ଶ୍ରୀମନ୍ଦିର ଚାରିପଟେ ଟାଇଲ୍ ପକାଇ ନିଜର ପ୍ରଚାର କରୁଛି ବିଜେଡି । ଜଗନ୍ନାଥ ସଂସ୍କୃତି ସହ ସମ୍ପୂର୍ଣ୍ଣ ଓଡ଼ିଶା ଯୋଡ଼ି ହୋଇ ଅଛି । ସମସ୍ତ ହିନ୍ଦୁଙ୍କ ଆସ୍ଥା ହେଉଛନ୍ତି ଜଗନ୍ନାଥ । ସଂସ୍କୃତି, ପରମ୍ପରାର ଯଦି କେଉଁଠି ବେଶୀ କ୍ଷତି ବା ଅପମାନ ହୋଇଛି ତେବେ ଏହି ସରକାର ସମୟରେ ହୋଇଛି । ଦାରୁ ବିଭ୍ରାଟ, ବ୍ରହ୍ମ ବିଭ୍ରାଟ ଭଳି ବିବାଦ ଏହି ସରକାର ସମୟରେ ହୋଇଛି । ହାଇକୋର୍ଟ କହୁଛନ୍ତି ରତ୍ନଭଣ୍ଡାର ଖୋଲାଯାଉ । ଏଏସଆଇ କହୁଛି ପାଣି ଗଳୁଛି ମରାମତିର ଆବଶ୍ୟକତା ଅଛି । ସରକାରଙ୍କ ସେ ପ୍ରତି ନିଘା ନାହିଁ । "
ଏହା ବି ପଢନ୍ତୁ- ଶ୍ରୀମନ୍ଦିର ଭିତରେ ବିଦେଶୀ ମହିଳା ! ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
ସେ ଆହୁରି କହିଛନ୍ତି, "ରତ୍ନ ସୁରକ୍ଷିତ ଅଛି କି ନାହିଁ କେହି ଜାଣିନାହାନ୍ତି । ବିକାଶକୁ ଆମେ ସ୍ବାଗତ କରୁଛୁ । କିନ୍ତୁ ହଜାର ହଜାର ବର୍ଷର ମଠ ମନ୍ଦିରକୁ ଭାଙ୍ଗି ଦିଆଗଲା । ସରକାର କହିଲେ ମଠର ପୁନରୁଦ୍ଧାର କରାଯିବ । 2 ବର୍ଷରୁ ଅଧିକ ସମୟ ଗଲାଣି ଏଯାଏଁ କିଛି ନାହିଁ । ରଘୁନନ୍ଦନ ଲାଇବ୍ରେରୀ ଗଲା ସେ ପୁସ୍ତକ ଠିକ ଅଛି କି ନାହିଁ କାହା ପାଖେ ଖବର ନାହିଁ । ଲାଇବ୍ରେରୀର ପୁନରୁଦ୍ଧାର ବି ହୋଇନାହିଁ । ସରକାରର ଯଦି ନିୟତି ଠିକ୍ ଅଛି । ତେବେ ଚାରି ଦୁଆର ଖୋଲାଯିବା ଦରକାର । ରତ୍ନ ଭଣ୍ଡାର ମରାମତି ହେବା ଦରକାର । ରତ୍ନଭଣ୍ଡାର ଅବିଳମ୍ବେ ଖୋଲାଯିବା ଦରକାର । ଭକ୍ତ ଯେମିତି ଭଗବାନଙ୍କଠୁ ଦୂରେଇ ନଯିବ ସେନେଇ ଚେଷ୍ଟା ହେବା ଦରକାର । "