ଭୁବନେଶ୍ବର: ବରଗଡ଼ ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ପୋଲିସ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛି ଦଳ । ଭଟଲି ବିଧାନସଭା କ୍ଷେତ୍ରରେ ମାସେ ତଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ଅମ୍ବାଭୋନା ଥାନା ଉପରେ ଆକ୍ରମଣ ହୋଇଥିଲା । ଥାନା ଭଙ୍ଗାରେ ସଂପୃକ୍ତ ୧୦୨ ଜଣଙ୍କ ନାଁରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଥିଲା । ହେଲେ ୨୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେଥିରୁ ୯ ଜଣ ଏବେ ଜେଲରେ ଅଛନ୍ତି । ଅନ୍ୟ ୧୩ ଜଣଙ୍କୁ ଜାମିନ ମିଳିଯାଇଛି । ଅପରାଧୀଙ୍କୁ ଜାମିନ ଦେବା ପାଇଁ ପୋଲିସ ସହାୟତା ଦେଇଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଇରାଶିଷ ଆଚାର୍ଯ୍ୟ ।
ଇରାଶିଷ କହିଛନ୍ତି, "ଏହି ମାମଲାରେ ପୋଲିସ ନିଜେ ଇନଫର୍ମାଣ୍ଟ । ପୋଲିସ ନିଜେ ଆହତ ଏବଂ ପୋଲିସ ହିଁ ନିଜେ ସାକ୍ଷୀ । କିନ୍ତୁ ନୋଟିସ ହେବା ପରେ ମଧ୍ୟ ପୋଲିସ କୋର୍ଟରେ ହାଜର ହୋଇନାହିଁ । ତେଣୁ ବିଜେଡି ଦଳର ଗୁଣ୍ଡାମାନଙ୍କ ସହ ପୋଲିସର ମଧୁଚନ୍ଦ୍ରିକା ରହିଛି । କାହା ଚାପରେ ନୋଟିସ ପରେ ମଧ୍ୟ କୋର୍ଟକୁ ଗଲା ନାହିଁ ପୋଲିସ ? ଥାନା ଭଙ୍ଗା କେସରେ ଏସ୍ସି ଏସ୍ଟି ଏବଂ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲାଗିଥିବା ସତ୍ତ୍ବେ ପୋଲିସ କୋର୍ଟକୁ ଯାଉନାହିଁ । ୫ ନଭେମ୍ବର ୨୦୨୩ରେ ଥାନା ଭଙ୍ଗାରୁଜା ଘଟଣା ଘଟିଥିଲା । ହେଲେ ଆଜିକୁ ଠିକ୍ ମାସେ ପରେ ବି ସମସ୍ତ ଅପରାଧୀଙ୍କୁ ଗିରଫ କରି ପାରିନି ପୋଲିସ ।" ମୋ ପୋଲିସ କଣ ବିଜେଡି ପୋଲିସ କି ବୋଲି ପ୍ରଶ୍ନ କରିଛନ୍ତି ଇରାଶିଷ ।