ଝାରସୁଗୁଡ଼ା ଫଳାଫଳ ନେଇ ବିରୋଧୀଙ୍କ ପ୍ରତିକ୍ରିୟା ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନରେ ବାଜି ମାରିଛି ବିଜେଡି । ସ୍ବର୍ଗତ ନବ ଦାସଙ୍କ ରେକର୍ଡ ଭାଙ୍ଗି ବୃହତ ବିଜୟ ହାସଲ କରିଛନ୍ତି ତାଙ୍କ ଝିଅ ଦୀପାଳି ଦାସ । ତେବେ ଦ୍ବିତୀୟରେ ବିଜେପି ରହିଥିବା ବେଳେ ଏଠାରେ ଅମାନତ ହରାଇଛି କଂଗ୍ରେସ । ୫ ହଜାର ଭୋଟ ମଧ୍ୟ ଦଳ ଖାତାକୁ ଯାଇନାହିଁ । ତେବେ ଝାରସୁଗୁଡ଼ାରେ ଜନାଦେଶକୁ ସ୍ବୀକାର କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "କଂଗ୍ରେସ ଆଉ ଲାଇମ ଲାଇଟରେ ନାହିଁ । ପୋଲାରାଇଜେସନ ପଲିଟିକ୍ସ ଆରମ୍ଭ ହୋଇଛି ଏବଂ ବିଜେଡି - ବିଜେପି ରାଜନୀତି ଆରମ୍ଭ ହୋଇଛି । ପୋଲାରାଇଜେସନ ପଲିଟିକ୍ସରେ ଆମକୁ ସାମୁହିକ ଭାବରେ ବା କିଛି ସମୟ ପାଇଁ କ୍ଷତି ହୋଇପାରେ । କିନ୍ତୁ ଲଙ୍ଗ ରନରେ ଓଡିଶା ରାଜନୀତିରେ ଯେଉଁ ଧୃବିକରଣ ପକ୍କା ହୋଇଛି, ଏହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଓଡିଶାର ଲୋକଙ୍କ ପାଇଁ ଶୁଭଙ୍କର ହେବ । ବିଭିନ୍ନ ସମୟରେ ବଦଳୁଥିବା ରାଜନୈତିକ ସମୀକରଣରେ ଏକ ସ୍ଥିର ରାଜନୈତିକ ସ୍ଥିତି ଆସିବ । ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍କର । ଯେଉଁ କାର୍ଯ୍ୟକର୍ତ୍ତା ଏବଂ ନେତା ମାନେ ଅଖଣ୍ଡ ପରିଶ୍ରମ କରିଛନ୍ତି ସେମାନଙ୍କୁ ଶୁଭେଚ୍ଛା ଏବଂ ଧନ୍ୟବାଦ । ଏଭଳି ବିପରୀତ ପରିସ୍ଥିତିରେ ଝାରସୁଗୁଡାରେ କାମ କରି ବିଜେପିକୁ ଏକ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇଛନ୍ତି । ଏ ସଂଘର୍ଷର ଯାତ୍ରା ଜାରି ରହିବ । ବିଜେପି ଶୂନ ବା ଜିରୋ ଦେଖିଛି ଆଉ ହିରୋ ହେବା ବି ଦେଖିଛି । ସବୁ ଅନୁଭବ ଓ ଅଭିଜ୍ଞତାକୁ ନେଇ ଆଗାମୀ ଦିନରେ ଓଡିଶାରେ ଲଢେଇ ହେବ । ବିଚାରଧାରା, ଆଦର୍ଶ ଏବଂ ପ୍ରସଙ୍ଗ ନେଇ ଲଢେଇ ହେଉଥିଲା । ପରିଶ୍ରମ କେବେ ବୃଥା ଯିବନି । ସବୁ ପରିଶ୍ରମର ମୂଲ୍ୟ ଅଛି ।"
୨୦୨୪ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳର କଣ ପ୍ରଭାବ ପଡ଼ିବ ପ୍ରଶ୍ନରେ ମନମୋହନ କହିଛନ୍ତି, "ଉପନିର୍ବାଚନରେ ରାଜ୍ୟ ସରକାର ମାନେ କ୍ଷମତାର ଅପବ୍ୟବହାର କରନ୍ତି ଏବଂ ପ୍ରାୟ ଫଳାଫଳ ତାଙ୍କ ସପକ୍ଷରେ ଯାଇଥାଏ । ଅତୀତରେ ମଧ୍ୟ ବିଜୁ ବାବୁଙ୍କ ସମୟ ଠାରୁ ନବୀନ ସରକାର ଯାଏଁ ଅନେକ ଉଦାହରଣ ଅଛି । ତେଣୁ ଉପନିର୍ବାଚନ ସହ ସାଧାରଣ ନିର୍ବାଚନକୁ ତୁଳନା କରିବା ଉଚିତ ନୁହେଁ । ଲୋକଙ୍କ ମତକୁ ସମ୍ମାନ ଜଣାଉଛୁ । ଯେତେବେଳେ ଭୋଟ ଲୋକ ଦିଅନ୍ତି, ଛପର ଫାଡ଼ି ଦିଅନ୍ତି ଓ ଯେତେବେଳେ ସଫା କରନ୍ତି, ଝାଡୁ ମାରି ସଫା କରନ୍ତି । ବିଜେପି ସେ ସମୟ ଦେଖିଛି, ଅନୁଭବ ଅଛି ।"
ସେହିପରି କଂଗ୍ରେସର ବିଧାୟକ ତାରା ବାହିନିପତି କହିଛନ୍ତି, "କର୍ଣ୍ଣାଟକର ଆମେ ଜିତିଛୁ, ଖୁସି ଅଛୁ । କିନ୍ତୁ ଝାରସୁଗୁଡ଼ା ଉପନିର୍ବାଚନରେ ଆମେ ଅମାନତ ହରାଇଛୁ । ଲୋକମାନଙ୍କ ରାୟକୁ ଆମେ ସମ୍ମାନ ଦେଉଛୁ । ଆଗାମୀ ଦିନରେ ଆମେ ଏକଜୁଟ ହୋଇ ଲୋକମାନଙ୍କର ସେବା କରିବୁ । ଲୋକମାନଙ୍କର ସେବା ନକଲେ ସେମାନଙ୍କ କାର୍ଯ୍ୟ ନକଲେ ଆମକୁ ଭୋଟ ଦେବେନାହଁ, ଏହା ପ୍ରମାଣିତ ହୋଇଛି । ଅନେକ ଦିନ ହେଲା ଆମେ ହାରି ଆସୁଛୁ । ଦିନକୁ ଦିନ ଆମର ଭୋଟ କମି ଯାଉଛି । ତାହାର ତର୍ଜମା ଆମେ କରିବୁ । ଆମର ଶୀର୍ଷ ନେତୃବୃନ୍ଦ ମାନଙ୍କ ସହିତ ଆଲୋଚନା କରିବୁ । ଆଗରୁ ଯେପରି ଜାନକୀ ବାବୁ ଏବଂ ବସନ୍ତ ବାବୁ କଂଗ୍ରେସକୁ ସଂଗଠିତ କରିଥିଲେ ସେମିତି କରିବା ପାଇଁ ଚେଷ୍ଟା କରିବୁ । ଆମେ ବହୁତ ଦୁଃଖିତ ଯେ ଝାରସୁଗୁଡ଼ା ଉପନିର୍ବାଚନରେ ଭଲ ରେଜଲ୍ଟ କରି ପାରିଲୁନି । ଆମ ପାଖରେ ଏକତା ଏବଂ ଅର୍ଥ ଦୁଇଟି ଯାକ ଅଭାବ ଯୋଗୁଁ ଆମେ ହାରିଲୁ । ଏକତା ଆସିଲେ ଅର୍ଥରେ ଅଭାବ ରହିବ ନାହିଁ । ୨୦୨୪ରେ ଆମେ ୯ରୁ ୯୦ ନୁହେଁ, ୯ରୁ ୯୯ ହେବୁ । ଆମ ପାଖରେ ପଇସା ନଥିବାରୁ ଝାରସୁଗୁଡ଼ାରେ ଆମ ଭୋଟ ବିଜେପି ଏବଂ ବିଜେଡିକୁ ପଳାଇଲା । ତଥାପି ପିସିସି ସଭାପତି ବହୁତ ପରିଶ୍ରମ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର