ଲୋୟର ପିଏମଜିରେ ଆନ୍ଦୋଳନକାରୀଙ୍କୁ କଂଗ୍ରେସ ଓ ବିଜେପିର ସମର୍ଥନ ଭୁବନେଶ୍ବର:ଲୋୟର ପିଏମଜିରେ ଆନ୍ଦୋଳନକାରୀଙ୍କୁ ଉଭୟ କଂଗ୍ରେସ ଓ ବିଜେପିର ସମର୍ଥନ । କଂଗ୍ରେସ ସରପଞ୍ଚ ଆନ୍ଦୋଳନକୁ ସମର୍ଥନ କରିଥିବା ବେଳେ କୁମ୍ଭକାର ମହାସଂଘକୁ ଭେଟି ସମର୍ଥନ ଜଣାଇଛି ରାଜ୍ୟ ବିଜେପି । ଆଜି ଲୋୟର ପିଏମଜିରେ କଂଗ୍ରେସ ବିଧାୟକମାନେ ଆନ୍ଦୋଳନ ଜାରି ରଖିଥିବା ଆନ୍ଦୋଳନକାରୀମାନଙ୍କୁ ଭେଟି ସେମାନଙ୍କୁ ଆଶ୍ବାସନା ଦେଇଛନ୍ତି ।
ବିଧାୟକ ତାରା ବାହିନୀପତି ଏବଂ କଂଗ୍ରେସର ଅନ୍ୟ ସଦସ୍ୟ କରିଛନ୍ତି ସମର୍ଥନ । ଆଜି ଲୋୟର ପିଏମଜିରେ କଂଗ୍ରେସ ବିଧାୟକମାନେ ଆନ୍ଦୋଳନକାରୀଙ୍କୁ ଭେଟିଛନ୍ତି । ବିଶେଷ କରି 5 ଦିନ ହେଲେ ବସିଥିବା ସରପଞ୍ଚମାନଙ୍କୁ ଆଶ୍ଵାସନା ଦେଇ ବିଧାୟକ ତାରା ବାହିନୀପତି କହିଛନ୍ତି, "ସରକାର ପଦାଘାତ କରି ବିଡିଓ ଏବଂ ଜେଇମାନଙ୍କୁ ସମର୍ଥନ କରି ସରପଞ୍ଚମାନଙ୍କ ଅଧିକାରକୁ ଯେଉଁଭଳି ଭାବେ ପଦାଘାତ କରୁଛନ୍ତି ତାକୁ ଆମେ ବିରୋଧ କରୁଛୁ । ନିୟମିତ ଗ୍ରାମସଭା କରାଯାଉ । ସରପଞ୍ଚମାନଙ୍କର ଯେଉଁ ଆଇନଗତ ଅଧିକାର ଅଛି ତାକୁ ବନ୍ଦ କରାନଯାଉ । ସେଥିପାଇଁ ଆମେ ବିଧାନସଭାରୁ ଆସିଛୁ ସେମାନଙ୍କୁ ସମର୍ଥନ କରିବାକୁ ।"
ଏହା ବି ପଢନ୍ତୁ- ଆନ୍ଦୋଳନକୁ ଓହ୍ଲାଇଲା ସରପଞ୍ଚ ମହାସଂଘ, 6 ଦିନ ମଧ୍ୟରେ ଦାବି ପୂରଣ ନେଇ ମିଳିଲା ପ୍ରତିଶ୍ରୁତି
ଗତ ପାଞ୍ଚ ଦିନ ହେଲା ଲୋୟର ପିଏମଜିରେ ବସିଛନ୍ତି ସରପଞ୍ଚ ଓ ସମିତି ସଭ୍ୟ । ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଣଦେଖା କରିଛନ୍ତି ସରକାର । ତେଣୁ ୧୫ ଦଫା ଦାବି ନେଇ ସେମାନେ ରାଜରାସ୍ତାରେ ବସିଛନ୍ତି । ଯେପର୍ଯ୍ୟନ୍ତ ସରକାର ସେମାନଙ୍କ କଥା ନ ଶୁଣିଛନ୍ତି ସେପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛି ମହାସଂଘ । ସେହିପରି ପଲ୍ଲୀ ସଭା ଏବଂ ଗ୍ରାମସଭାକୁ ଗୁରୁତ୍ଵ ଦିଆଯାଉ, ସରପଞ୍ଚମାନଙ୍କୁ ଭତ୍ତା ମାସିକ ୩୦ ହଜାର ଏବଂ ଅବସର ପରେ ମାସକୁ ପାଞ୍ଚ ହଜାର ଦିଆଯାଉ । ଏହାସହିତ ସ୍ଵାସ୍ଥ୍ୟ କାର୍ଡ ଏବଂ ସରପଞ୍ଚଙ୍କ କାର୍ଯ୍ୟ ଅବଧି ମଧ୍ୟରେ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କା ପରିବାରକୁ କ୍ଷତିପୂରଣ ଦିଆଯାଉ । ଏପରି ୧୫ ଦଫା ଦାବି ନେଇ ଲୋୟର ପିଏମଜିରେ ସରପଞ୍ଚ ସଂଘ ବସିଛି ।
ଏହା ବି ପଢନ୍ତୁ- କୌଳିକ ବୃତ୍ତିର ଅତ୍ୟାଧୁନିକ ତାଲିମ ନେବାକୁ କୁମ୍ଭକାର ସମାଜର ଦାବି
ସେପଟେ ବିଜେପି ବିଧାୟକମାନେ କୁମ୍ଭକାର ମହାସଂଘକୁ ଭେଟିଛନ୍ତି । ସେମାନେ 7 ଦଫା ଦାବି ନେଇ ରାଜରାସ୍ତାରେ ପ୍ରତିବାଦ କରୁଛନ୍ତି । ସେମାନଙ୍କୁ ବିଜେପି ବିଧାୟକମାନେ ଭେଟି ସମର୍ଥନ ଜଣାଇଛନ୍ତି । କୁମ୍ଭକାର ସଂଘର ମୁଖ୍ୟ ଦାବିଗୁଡ଼ିକ ହେଉଛି ଓଡ଼ିଶାର ମାଟି କଳା ବୋର୍ଡ ଗଠନ କରାଯାଉ । ଅନ୍ୟ ରାଜ୍ୟରେ ଏହା ଗଠନ କରାଯାଇଛି । ଏହାସହିତ ସେମାନଙ୍କର କୌଳିକ ବୃତ୍ତି ପାଇଁ ୨ ଏକର ଜମି ଦିଆଯାଉ ଏବଂ ସୁଲଭ ମୂଲ୍ୟରେ ମାଟି ଯୋଗାଇ ଦିଆଯାଉ । ସେମାନଙ୍କୁ ରାଜ୍ୟ ସରକାର ଅବହେଳା କରି ଆସୁଛନ୍ତି ବୋଲି ସଂଘ ଅଭିଯୋଗ କରିଛି ।
ଇଟିଭି ଭାରତ, ଭୁବନେଶ୍ବର