ଭୁବନେଶ୍ବର:ପଦ୍ମପୁର ଉପନିର୍ବାଚନ ପାଇଁ ଏବେ ଜୋରସୋରରେ ଚାଲିଛି ପ୍ରଚାର । ବିଜେଡି, ବିଜେପି ଓ କଂଗ୍ରେସ ନିଜର ସବୁ ବଳ ଲଗେଇ ଦେଇଛନ୍ତି । ବଡ଼ ପ୍ରଶ୍ନ କିଏ ଜିତିବ ପଦ୍ମପୁର ବାଜି । ଆଉ ଏହାରି ଭିତରେ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ସସ୍ମିତ ପାତ୍ର ସିଧା ସିଧା କେନ୍ଦ୍ରକୁ ନିଶାନା କରିଛନ୍ତି ।
Padmapur By election: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଜେଡିର କେନ୍ଦ୍ର ଅବହେଳା ଅଭିଯୋଗ, ଜବାବ ରଖିଲା ବିଜେପି ସସ୍ମିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ଓଡ଼ିଶା ସହ ପ୍ରତାରଣା କରୁଛନ୍ତି କେନ୍ଦ୍ର ସରକାର । ଫସଲ ବୀମା ଯୋଜନାରେ ମିଛ କହୁଛି ବିଜେପି । 5ବର୍ଷ ପରେ କାହିଁକି MSP ବଢିଲାନି ? କେବଳ ସେତିକି ନୁହେଁ, ଚାଷୀଙ୍କୁ ରେଳଲାଇନ ଯୋଗାଇବାରେ ମଧ୍ୟ ଅବହେଳା ପ୍ରଦର୍ଶନ କରାଯାଇଛି । ବିଶେଷକରି ପଦ୍ମପୁରରେ ଲୋକମାନଙ୍କୁ ରେଳଲାଇନ ଦେବାରେ ପ୍ରତାରଣା କରାଯାଇଛି । ଚାଷୀଙ୍କ ଆୟ 2ଗୁଣା କରିବା ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି କୁଆଡେ ଗଲା ?"
ଚାଷୀଙ୍କ ଉଷୁନା ଚାଉଳ କାହିଁକି କେନ୍ଦ୍ର ଉଠାଉ ନାହିଁ ବୋଲି ପଚାରିଛନ୍ତି ସସ୍ମିତ । ବିଜେଡିର ଏକାଧିକ ଅଭିଯୋଗ ପରେ ଉତ୍ତର ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି, "ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପଦ୍ମପୁର କାହିଁକି ଯାଇଛନ୍ତି ? ବଜେଟ ଆଲୋକେସନ ମଧ୍ୟ ହୋଇଛି । ରାଜ୍ୟ ସରକାର ଜମି ବ୍ୟବସ୍ଥା କରନ୍ତୁ, କେନ୍ଦ୍ର ପଦକ୍ଷେପ ନେବ । କେନ୍ଦ୍ରକୁ ଦୋଷ ନଦେଇ ରାଜ୍ୟ ସରକାର ନିଜ କାର୍ଯ୍ୟ କରନ୍ତୁ ।"
ପଦ୍ମପୁର ଉପନିର୍ବାଚନରେ ଭୋଟ୍ ହାତେଇବା ପାଇଁ ଏବେ ବିଜେଡି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇଯାଇଛି । ବିଜେଡି ସବୁ ଦୋଷ କେନ୍ଦ୍ର ଉପରେ ଲଦୁଥିବା ବେଳେ ବିଜେପି ଏହାର ରକ୍ଷଣାତ୍ମକ ଜବାବ ରଖିଛି । ଦେଖିବାର କଥା ଏହାର ପ୍ରଭାବ କେତେଦୁର ଜନତାଙ୍କ ଉପରେ ପଡୁଛି ।