ଭୁବନେଶ୍ବର: ସମ୍ବଲପୁର ବିଧାୟକ ତଥା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀଙ୍କ ମଧ୍ୟରେ ହାତାହାତି ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେଡି ଓ ବିଜେପି ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରିଦେଇଛନ୍ତି । ବିଜେଡି ଜୟନାରାୟଣଙ୍କର କୁଶପୁତ୍ତଳିକା ଦାହ କରିବା ସହିତ ବିରୋଧି ଦଳ ନେତା ପଦରୁ ତାଙ୍କର ଇସ୍ତଫା ଦାବି କରିଛି । ସେପଟେ ନବ ଦାସ ହତ୍ୟାକାଣ୍ଡରୁ ନଜର ହଟାଇବା ପାଇଁ ଏହା ବିଜେଡିର ଚାଲ ବୋଲି କହିଛି ବିଜେପି ।
ବିଜେଡି ମହିଳା ମୋର୍ଚ୍ଚାର ଆନ୍ଦୋଳନ: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ସାରା ରାଜ୍ୟରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଉଛି । ବୁଧବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ସମୟରେ ବିରୋଧୀ ଦଳ ନେତା ଓ ଧନୁପାଲି ଥାନା ଅଧିକାରୀ ହାତାହାତି ହୋଇଥିଲେ । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଜୟନାରାୟଣ ମହିଳା ଅଧିକାରୀଙ୍କୁ ଚାପୁଡା ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେଡି ମହିଳା ମୋର୍ଚ୍ଚା । ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜୟନାରାୟଣଙ୍କ ବିରୋଧରେ ନାରାବାଜି କରିଥିଲା । ଗାନ୍ଧିମାର୍ଗରୁ ମାଷ୍ଟର କ୍ୟାଣ୍ଟିନ ଯାଏଁ ପଦଯାତ୍ରାରେ ଯାଇ ଜୟନାରାୟଣଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଜେଡି ନେତ୍ରୀ ।
ଜୟନାରାୟଣଙ୍କୁ ଅରୂପଙ୍କ ଧମକ: ଏନେଇ ପ୍ରଶାସକରୁ ରାଜନୀତିକୁ ଆସିଥିବା ବରିଷ୍ଠ ବିଜେଡି ନେତା ଅରୂପ ପଟ୍ଟନାୟକ କହିଛନ୍ତି, "ଯାହାକୁ ଧକ୍କା ମରାହେଲା, ସେ କେବଳ ଜଣେ ମାଆ ନୁହନ୍ତି । ସେ ଜଣେ ପୋଲିସ ଅଫିସର । ଏଭଳି ଧକ୍କା ମାରୁଥିବା ଲୋକ ମୋ ଆଗରେ ପଡ଼ି ନାହାନ୍ତି । ନହେଲେ ତାଙ୍କ ଅବସ୍ଥା କଣ ହୋଇଥାନ୍ତା, ସେ ଜାଣିଥାନ୍ତେ । ମୁଁ ଦୀର୍ଘଦିନରୁ ପୋଲିସ ଚାକିରୀରେ ରହିଥିଲି । ଆଜି ପୋଲିସ ଭାଇମାନଙ୍କ ମୁହଁକୁ ଚାହିଁ ପାରୁନି । ଏଭଳି ଲୋକଙ୍କୁ ଖୋଲା ରାସ୍ତାରେ ଉଚିତ ଜବାବ ଦେବା ଦରକାର । ମୁଁ କହୁନି ଆମେ ଆଇନକୁ ହାତକୁ ନେବା ଉଚିତ । କିନ୍ତୁ ଯେଉଁମାନେ ଧକ୍କା ମାରୁଛନ୍ତି, ସେମାନେ ଜାଣନ୍ତୁ, ଆମେ ଖାଲି ପ୍ଲାକାର୍ଡ ଧରି ଧାରଣାରେ ବସିବା ଲୋକ ନୁହେଁ । ଆମର ଗୋଟେ ହାତରେ ଗୀତା ଓ ଅନ୍ୟ ହାତରେ ଜୋତା ରହିଛି ।"