ଓଡିଶା

odisha

ETV Bharat / state

ଆବାସ କଳି: ବିଜେପିର ହାଲ୍ଲାବୋଲ, ବିଜେଡି କହିଲା ମୋଦି ନଦେଲେ ନବୀନ ଦେବେ - ବିଜେଡି ସାଂସଦ ସସ୍ମିତ ପାତ୍ର

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଜୋର ଧରିଛି ରାଜନୀତି । ରାଜ୍ୟ ସରକାର ଏଥିରେ ହେରଫେର କରୁଥବା ଅଭିଯୋଗ କରି ବିଜେପି ଆନ୍ଦୋଳନ କରିଛି । ସେପଟେ କେନ୍ଦ୍ର ସରକାର ନଦେଲେ ରାଜ୍ୟ ସରକାର ଦେବେ ବୋଲି କହି ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଉଭୟ ଦଳର କଳି ରାଜନୈତିକ ସ୍ବାର୍ଥ ପାଇଁ ବୋଲି କହିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ଆବାସ ଯୋଜନାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି
ଆବାସ ଯୋଜନାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି

By

Published : Jan 25, 2023, 10:43 PM IST

ଆବାସ ଯୋଜନାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଜୋର ଧରିଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଯୋଗ୍ୟ ହିତାଧିକାରୀଙ୍କୁ ନଦେଇ ରାଜ୍ୟ ସରକାର ଏଥିରେ ହେରଫେର କରୁଥବା ଅଭିଯୋଗ କରି ବିଜେପି ଆଜି ଆନ୍ଦୋଳନ କରିଛି । ଅନ୍ୟପକ୍ଷରେ ଆବାସ ଯୋଜନାରେ ରାଜ୍ୟର ବିଜେପି ସାଂସଦ ମାନେ ଲୋକଙ୍କୁ ଧୋକା ଦେଇଥିବା କହି ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସେପଟେ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି । ଉଭୟ ରାଜନୈତିକ ଉଦ୍ଦେଶ୍ୟ ରଖି ଝଗଡ଼ା କରୁଥିବା କହିଛି କଂଗ୍ରେସ । ଯୋଗ୍ୟ ହିତାଧିକାରୀଙ୍କ ପାଇଁ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଦଳ ।

ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ଦାବିପତ୍ର: ଆବାସକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା କଳି ଏବେ ପହଞ୍ଚିଛି ୩୧୪ ବ୍ଲକରେ । ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକରେ ଆନ୍ଦୋଳନ ସହ ନାରାବାଜି କରାଯାଇଛି । ଯୋଗ୍ୟ ହିତାଧକାରୀ ଚୟନ ହୋଇନଥିବା ଅଭିଯୋଗ ଆଣି ବିଜେପି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଛି ମେମୋରାଣ୍ଡମ । ବିଜେପିର ଅଭିଯୋଗ ହେଲା, ଆବାସ ବଣ୍ଟନ ପୂର୍ବରୁ ଯୋଗ୍ୟ ହିତାଧିକାରୀ ଚୟନ ହୋଇନାହିଁ । ତେଣୁ ପ୍ରଥମେ ଯୋଗ୍ୟ ହିତାଧିକାରୀ ଚୟନ କରାଯାଉ ଆଉ ତା ପରେ ଆବାସ ବଣ୍ଟନ କରାଯାଉ ।

"କେନ୍ଦ୍ର ନଦେଲେ ରାଜ୍ୟ ଦେବ": ଅନ୍ୟପଟେ ଆବାସ ଯୋଜନା ପ୍ରସଙ୍ଗରେ ବିଜେପିକୁ କାଠଗଡାରେ ଛିଡା କରିଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "କେନ୍ଦ୍ର ସରକାର ଘର ନଦେଲେ ମୁଖ୍ୟମନ୍ତ୍ରୀ ଦେବେ । କେନ୍ଦ୍ର ସରକାର ଆଉ ଘର ଦେବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ୧୫ ଲକ୍ଷ ଘର ମିଳିବା ଯାଏଁ ବିଜେଡିର ସଂଗ୍ରାମ ଜାରି ରହିବ । ୧୫ ଲକ୍ଷ ଘରକୁ ଷଡଯନ୍ତ୍ର କରି ୮ ଲକ୍ଷ ଘର ଦେଲେ । ହିତାଧିକାରୀଙ୍କ ପାଇଁ ଷଡଯନ୍ତ୍ର କରିଛନ୍ତି ବିଜେପି ସାଂସଦ । ଲୋକଙ୍କର ହକର ଘରକୁ ଅଟକାଇ ଦେଲେ । ଦିଲ୍ଲୀ ଦରବାରକୁ ସାଂସଦମାନଙ୍କୁ ନିର୍ବାଚିତ କରି ଓଡ଼ିଶାବାସୀ ପଠାଇଲେ । କିନ୍ତୁ ଓଡିଶାବାସୀଙ୍କ ସହିତ ଖେଳିଛନ୍ତି ବିଜେପି ସାଂସଦ ।" ତେଣୁ ଯଦି ହିତାଧିକାରୀ ବାକି ରହିଯାଆନ୍ତି କିମ୍ବା ସେମାନଙ୍କୁ କେନ୍ଦ୍ର ସରକାର ଆବାସ ଯୋଜନାରେ ସାମିଲ ନକରନ୍ତି, ତେବେ ରାଜ୍ୟ ସରକାର ସେମାନଙ୍କୁ ଘର ଦେବେ ବୋଲି କହିଛନ୍ତି ସସ୍ମିତ ପାତ୍ର ।

ଆବାସ କଳିରୁ କାହାକୁ ମିଳିବ ଫାଇଦା ? : ସେପଟେ ବିଜେଡି-ବିଜେପି ମଧ୍ୟରେ କଳି ସେମାନଙ୍କ ରାଜନୈତିକ ସ୍ବାର୍ଥ ପାଇଁ, ପ୍ରକୃତ ହିତାଧିକାରୀଙ୍କ ପାଇଁ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ବରିଷ୍ଠ ନେତା ଗଣେଶ୍ବର ବେହେରା । ଏବେ ବଡ ପ୍ରଶ୍ନ ଏହି ଆବାସ କଳିରୁ କାହାକୁ କେତେ ଫାଇଦା ମିଳିବ । ୨୦୨୪ ନିର୍ବାଚନ ଆସୁଥିବାବେଳେ ଆବାସ ଯୋଜନାକୁ ଯଦି ପ୍ରସଙ୍ଗ କରାଯାଏ ତେବେ ଲୋକମାନଙ୍କୁ ବୁଝାଇବାରେ କିଏ ସକ୍ଷମ ହେବ । ବରିଷ୍ଠ ରାଜନୈତିକ ସମିକ୍ଷକ ରବି ଦସ କହିଛନ୍ତି, "ଯଦି ରାଜ୍ୟ ସରକାରଙ୍କ ଅଧିକାରୀ ଅଯୋଗ୍ୟ ହିତାଧକାରୀ ଚୟନ କରିଛନ୍ତି ବୋଲି ଲୋକେ ଜାଣିବେ, ଏହା ବିଜେଡି ପାଇଁ କ୍ଷତି ହେବ । ଏହାର ଫାଇଦା ନେବା ପାଇଁ ଆଜି ବିଜେପି କହିଛି ଆମେ ସବୁ ଦେଉଛୁ ।" ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆବାସ ପ୍ରସଙ୍ଗ ଏବେ ଦୁଇ ରାଜନୈତିକ ଦଳ ପାଇଁ ଅସ୍ତ୍ର ହୋଇଛି । ଦେଖିବାର କଥା ପ୍ରକୃତ ପକ୍ଷେ ଘର ବାଣ୍ଟି କିଏ ଲୋକଙ୍କ ମନ ଜିଣିପାରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details