ଓଡିଶା

odisha

ETV Bharat / state

ବିଜେଡିର ଜନସମ୍ପର୍କ ପଦଯାତ୍ରା, ଗାନ୍ଧୀ ଜୟନ୍ତୀରୁ 2 ମାସିଆ କାର୍ଯ୍ୟକ୍ରମ - ଗାନ୍ଧୀ ଜୟନ୍ତୀରୁ 2 ମାସିଆ କାର୍ଯ୍ୟକ୍ରମ

ଆସନ୍ତା ଅକ୍ଟୋବର ୨ରୁ ଡିସେମ୍ବର ୨୬ ଯାଏଁ ବିଜେଡିର ଜନସମ୍ପର୍କ ପଦଯାତ୍ରା । ସବୁ ନିର୍ବାଚନ ମଣ୍ଡଳୀରେ ଏହି ପଦଯାତ୍ରା ହେବ ଅନୁଷ୍ଠିତ । ଅଧିକ ପଢନ୍ତୁ

Bjd padayatra
Bjd padayatra

By ETV Bharat Odisha Team

Published : Sep 26, 2023, 10:54 PM IST

ଭୁବନେଶ୍ବର: ବିଜୁ ଜନତା ଦଳ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଆରମ୍ଭ କରିବ ଜନସମ୍ପର୍କ ପଦଯାତ୍ରା । ଏନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତା ତଥା କର୍ମୀମାନଙ୍କୁ ଚିଠି ଲେଖି ଜଣାଇଛନ୍ତି । ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମହିଳା ସଭାନେତ୍ରୀ ସ୍ନେହାଙ୍ଗିତୀ ଛୁରିଆ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।

ଆସନ୍ତା ଅକ୍ଟୋବର ୨ରୁ ଡିସେମ୍ବର ୨୬ ଯାଏଁ ବିଜେଡି ପକ୍ଷରୁ କରାଯିବ ଜନ ସମ୍ପର୍କ ପଦଯାତ୍ରା । ଗାନ୍ଧୀ ଜୟନ୍ତୀରୁ ଦଳର ପ୍ରତିଷ୍ଠା ଦିବସ ଯାଏଁ ପଦଯାତ୍ରା କରିବ ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବହୁ କାର୍ଯ୍ୟକ୍ରମ ସାଙ୍ଗକୁ ବିକାଶକୁ ଶୀର୍ଷକୁ ନେବାକୁ ସଂକଳ୍ପ ନେବେ ଦଳୀୟ ନେତା ଓ କର୍ମୀ । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସବୁ ନିର୍ବାଚନ ମଣ୍ଡଳୀରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ । ଏହା ସହ ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ ସାଙ୍ଗକୁ ବୃକ୍ଷରୋପଣ ମଧ୍ୟ କରାଯିବ ।

ବିଜେଡିର ଜନସମ୍ପର୍କ ପଦଯାତ୍ରା, ଗାନ୍ଧୀ ଜୟନ୍ତୀରୁ 2 ମାସିଆ କାର୍ଯ୍ୟକ୍ରମ

ଏହା ବି ପଢନ୍ତୁ- ପଦଯାତ୍ରା ରାଜନୀତି: ବିଜେଡି ପାଇଁ ନୂଆ ନୁହେଁ, କଂଗ୍ରେସକୁ ଫାଇଦା କହିଲେ ରାଜନୀତି ସମୀକ୍ଷକ

ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ, ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ଏବଂ ଅକ୍ଟୋବର ୧୧ରେ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ପାଳନ ହେବ । ଏହା ସହିତ ଏ ବର୍ଷର ଜନ ସମ୍ପର୍କ ପଦଯାତ୍ରା ଚଳିତ ବର୍ଷ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରାଯିବ । ଅକ୍ଟୋବର ୧୨ରୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟ ସଦସ୍ୟାମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜିଲ୍ଲାପରିଷଦ ଜୋନ ସ୍ତରୀୟ ଓ ପୌରାଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ କରାଯିବ । ଉପରୋକ୍ତ କାର୍ଯ୍ୟକ୍ରମ ପରେ ପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ବୈଠକ ଓ ଜନସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡରେ ଆମ ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଯିବ ।

ଏହା ବି ପଢନ୍ତୁ- ଘରେ ଘରେ ହାତ, ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସର ପଦଯାତ୍ରା

ଏହା ସହିତ ବିଜୁ ଜନତା ଦଳର ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ଯ୍ୟକ୍ରମ କରାଯିବ । ଡିସେମ୍ବର ୨୬ରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀମାନଙ୍କରେ ପାଳନ କରାଯିବ । ଏହି ଅବସରରେ ମହାନ ସ୍ଵାଧୀନତା ସଂଗ୍ରାମୀ ଓ ବରପୁତ୍ର ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ । ଏହା ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ । କାର୍ଯ୍ୟକ୍ରମରେ ଦଳର ସମସ୍ତ ଛାମୁଆ ସଂଗଠନ ସାମିଲ ହେବେ । ସାମ୍ବାଦିକ ସମ୍ମିଳନୀରେ ଧନ୍ୟବାଦ ଅର୍ପଣ କରିଛନ୍ତି ଦଳର ମୁଖପାତ୍ର ପ୍ରିୟବ୍ରତ ମାଝୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details