ଭୁବନେଶ୍ବର:ଆସନ୍ତାକାଲି(ସୋମବାର) ଠାରୁ ଆରମ୍ଭ ହେବାକୁ ଯାଉଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ନବୀନ ସରକାରଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବ ଦଳ । ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ଏହି ଜନ ସମ୍ପର୍କ ପଦଯାତ୍ରା । ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ କଲୋନୀ ସ୍ଥିତ ନେତାଜୀ ପଡ଼ିଆର 57 ନମ୍ବର ୱାର୍ଡରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆଜି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର ଓ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ।
ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ୧୧ ତାରିଖ ଯାଏଁ ଚାଲିବ ଏହି ଜନ ସମ୍ପର୍କ ପଦଯାତ୍ରା । ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ନେଇ ଲକ୍ଷ୍ୟ ରଖିଛି ଦଳ । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ଯାଉଛି ଦଳ। ଏହାସହ ଅକ୍ଟୋବର ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ଏବଂ ଅକ୍ଟୋବର ୧୧ରେ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ପାଳନ ହେବ ।
ଚଳିତ ବର୍ଷର ଜନ ସମ୍ପର୍କ ପଦଯାତ୍ରା ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଅକ୍ଟୋବର ୧୨ ତାରିଖରୁ ମାସେ ବ୍ୟାପୀ ସକ୍ରିୟ ସଦସ୍ୟ ସଦସ୍ୟାମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ଲୋକଙ୍କ ନିକଟରେ ପହଞ୍ଚିବ ଦଳ । ଏହାସହ ଜିଲ୍ଲାପରିଷଦ ଜୋନ ସ୍ତରୀୟ ଓ ପୌରାଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ କରାଯିବ । ଏନେଇ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି," ପୂର୍ବରୁ ମଧ୍ୟ ଗାନ୍ଧୀ ଜୟନ୍ତିରେ ଏହିଭଳି କାର୍ଯ୍ୟକ୍ରମ କରାଯାଇଥାଏ । ସକ୍ରିୟ କର୍ମୀମାନେ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ।"