ଓଡିଶା

odisha

BJD ପାଳିବ ବିଜୁ ବାବୁଙ୍କ ତିରୋଧାନ ଦିବସ, ସାମାଜିକ କଲ୍ୟାଣ ପାଇଁ ନେବ ଶପଥ

By

Published : Apr 13, 2023, 9:21 AM IST

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିବ ବିଜୁ ଜନାତ ଦଳ । ଆସନ୍ତା ୧୭ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଦଳ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଅଧିକ ପଢନ୍ତୁ

bjd to celebrates biju pattnaik death anniversary
BJD ପାଳିବ ବିଜୁ ବାବୁଙ୍କ ତିରୋଧାନ ଦିବସ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ପାଳନ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ବିଜୁଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଜେଡି ପକ୍ଷରୁ ସବୁ ନିର୍ବାଚନମଣ୍ଡଳୀରେ ସମୂହ ରକ୍ତଦାନ ଶିବିର ଆୟୋଜନ ହେବ । ଏହା ସହିତ ସକାଳେ ତିଳତର୍ପଣ, ପ୍ରଭାତଫେରୀ, ସମୂହ ସଫେଇ ଅଭିଯାନ, ସ୍ମୃତିସଭା ସହ ସନ୍ଧ୍ୟାରେ ସମୂହ ଦୀପଦାନ ଏବଂ ଶପଥ ପାଠ ହେବ । ଏନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ବିଜୁ ଜନତା ଦଳର ଯୁବ, ଛାତ୍ର, ମହିଳା ତଥା ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଦ୍ବାରା ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବରେ ପାଳିତ ହେବ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ । ଚଳିତ ବର୍ଷ ବିଜୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହା ସହିତ ବିଜୁ ବାବୁଙ୍କ ସାମାଜିକ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ତରଫରୁ ସମୂହ ରକ୍ତଦାନ ଶିବିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଦଳର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ନଗର ଓ ବ୍ଲକ ସଭାପତିମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଦଳର ସୁପ୍ରିମୋ ।

ବିଜେଡି ସୁପ୍ରିମୋ କହିଛନ୍ତି ଯେ, ବିଜୁବାବୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟସ୍ତରରେ ଓ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବାକୁ ସ୍ଥିର ହୋଇଛି । ବହୁ ସଂଖ୍ୟାରେ ରକ୍ତଦାନ ଶିବିରରେ ଉପସ୍ଥିତ ରହି ବିଜେଡି ସଦସ୍ୟ ତଥା ଆଗ୍ରହୀ ଜନସାଧାରଣ ସମୂହ ରକ୍ତଦାନ କରି ସମଗ୍ର ମାନବ ସମାଜର କଲ୍ୟାଣ ପ୍ରତି ରହିଥିବା ନୈତିକ ଉତ୍ତରଦାୟିତ୍ବ ପ୍ରଦର୍ଶନ କରିବେ । ଏହି ଦିବସରେ ବିଜେଡିର ପ୍ରତ୍ୟେକ ସଦସ୍ୟ ବିଜୁବାବୁଙ୍କ ଅଭିଳଶିତ ଓଡ଼ିଶା ଗଠନ ନିମନ୍ତେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବା ପାଇଁ ନିଜକୁ ପୁନଃ ଉତ୍ସର୍ଗ କରିବେ ବୋଲି ନବୀନ କହିଛନ୍ତି ।

ଏହା ବି ପଢନ୍ତୁ...75 ବର୍ଷରେ ସ୍ବପ୍ନର ସହର ଭୁବନେଶ୍ବର, ନା ଥକିଛି ନା ଅଟକିଛି

ବିଜୁ ପଟ୍ଟନାୟକଙ୍କ ସେବା, ତ୍ୟାଗ ଏବଂ ଉତ୍କଳୀୟ ସ୍ବାଭିମାନର ମୂର୍ତ୍ତିମନ୍ତ ପ୍ରତୀକ । ବିଜୁ ଶ୍ରାଦ୍ଧ ଦିବସରେ ଦଳ ପକ୍ଷରୁ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମ ସକାଳ ସାଢ଼େ ୬ଟାରେ ତିଳତର୍ପଣ, ସକାଳ ୭ଟାରେ ପ୍ରଭାତ ଫେରୀ, ସମୂହ ସଫେଇ ଅଭିଯାନ, ସକାଳ ସାଢ଼େ ୮ଟାରେ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ସ୍ମୃତିସଭା, ସମୂହ ରକ୍ତଦାନ ଶିବିର ଆୟୋଜନ, ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ନିର୍ବାଚନମଣ୍ଡଳୀସ୍ତରରେ ସମ୍ବର୍ଦ୍ଧନା ଦିଆଯିବ । ଅପରାହ୍ନ ୫ଟାରେ ସମୂହ ଦୀପଦାନ ଓ ଶପଥପାଠ ଉତ୍ସବ ହେବ । ଦଳର ପ୍ରତ୍ୟେକ ସଦସ୍ୟମାନେ ବିଜୁବାବୁଙ୍କ ବିଚାରଧାରା, ତ୍ୟାଗ, ସେବା, ସଂଗ୍ରାମ ଓ ସ୍ବାଭିମାନରେ ବ୍ରତୀ ହୋଇ ଏକ ସମୃଦ୍ଧ, ସଶକ୍ତ, ସ୍ବାଭିମାନୀ ନୂତନ ଓଡ଼ିଶା ଗଢ଼ିବା ପାଇଁ ଶପଥ ନେବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details