ଭୁବନେଶ୍ବର:ଆସନ୍ତା ମାର୍ଚ୍ଚ 5 ତାରିଖରେ ବିଜୁ ପଟ୍ଟନାୟକଙ୍କ 107ତମ ଜନ୍ମ ଜୟନ୍ତୀ ପାଳନ କରିବ ବିଜୁ ଜନତା ଦଳ । ବିଜୁ ଜୟନ୍ତୀରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି । ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ସାଇକେଲ ରାଲିର ଆୟୋଜନ କରିବ ଦଳ । ଏହା ସହିତ ‘ନବୀନ ଓଡ଼ିଶା’ ଗଠନ ପାଇଁ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଛାମୁଆ ସଂଗଠନକୁ ସକ୍ରିୟ ରଖିବାକୁ ପଦକ୍ଷେପ ନେଉଛି ବିଜେଡି । ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ନିଷ୍ପତ୍ତି ନେଇଛି ଦଳ । ବିଜୁ ଜୟନ୍ତୀରେ ପ୍ରତି ନିର୍ବାଚନମଣ୍ଡଳୀରେ ସାଇକେଲ ରାଲି ଓ ସମୂହ ଦଳୀୟ ସଭା ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ସବୁ ନିର୍ବାଚନମଣ୍ଡଳୀରେ ମହିଳା ସମାବେଶର ଆୟୋଜନ ହେବ । ଆଉ ପ୍ରଥମଥର ପାଇଁ ବିଜେଡି କର୍ମୀ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହେବ ।
ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ‘ନବୀନ ଓଡ଼ିଶା’ ଗଠନ ଶୀର୍ଷକ ଏସବୁ ପ୍ରତିଯୋଗିତା କରିବ ଦଳ । ଏଥିପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବିଜୁଙ୍କ 107 ତମ ଜନ୍ମ ଜୟନ୍ତୀରେ ବ୍ୟାପକ କାର୍ଯ୍ୟକ୍ରମ ପାଇଁ ନବୀନ ଦଳରର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ବ୍ଲକ ସଭାପତି ଓ ଦଳୀୟ କର୍ମକର୍ତ୍ତାମାନଙ୍କୁ ଚିଠି ଲେଖି ନିର୍ବାଚନମଣ୍ଡଳୀସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଓ ସହଯୋଗ କରିବାକୁ କହିଛନ୍ତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମଧ୍ୟ ନୂଆ ରୂପରେ ଡାକୋଟାକୁ ଅନାବରଣ କରିବେ ମୁଖ୍ୟମନ୍ତ୍ରୀ । ଏ ନେଇ ସଜେଇ ହେଉଛି ଡାକୋଟା ।