ଓଡିଶା

odisha

NH-୫୫ର ଦୁରାବସ୍ଥାକୁ ନେଇ ବିଜେଡିର ପ୍ରେସମିଟ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍

By ETV Bharat Odisha Team

Published : Dec 24, 2023, 8:09 PM IST

BJD Pressmeet: ୭ ବର୍ଷ ହେଲା ସରୁନି NH କାମ । ଜାତୀୟ ରାଜପଥ ଅବ୍ୟବସ୍ଥା ନେଇ BJDର ପ୍ରେସମିଟ୍‌ । କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ବର୍ଷିଲା ଦଳ । ଅଧିକ ପଢ଼ନ୍ତୁ

bjd targets dharmendra
ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ୍

ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ୍

ଭୁବନେଶ୍ବର: NH-୫୫ର ଦୁରାବସ୍ଥାକୁ ନେଇ ବର୍ଷିଲା ବିଜେଡି । ଦେଢ଼ କୋଟି ଲୋକଙ୍କ ଜୀବନରେଖା ଏବେ ପାଲଟିଛି ମୃତ୍ୟୁଯନ୍ତା । ପ୍ରତିଦିନ ଦୁର୍ଘଟଣା ଘଟୁଥିବାବେଳେ ଲକ୍ଷ ଲକ୍ଷ ଯାତ୍ରୀଙ୍କ ଜୀବନ ଯାଉଛି । ନିଘୋଡ଼ ନିଦରେ ଶୋଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ରୋଡ୍‌ ସେଫ୍‌ଟି କମିଟି ମିଟିଂକୁ ଯାଉନାହାନ୍ତି ଜାତୀୟ ରାଜପଥ ଅଧିକାରୀ । "ନିଜ ଜିଲ୍ଲାର NH ଦୁରବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୀରବ କାହିଁକି ?" ବୋଲି ପ୍ରଶ୍ନ କରିଛି ବିଜେଡି ।


"ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ସହ ସଂଯୋଗ କରୁଥିବା କଟକ-ସମ୍ବଲପୁର NH-୫୫କୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଏ । ପ୍ରାୟ ଦେଢ଼ କୋଟି ଲୋକ ଏହି ଜାତୀୟ ରାଜପଥ ଉପରେ ନିର୍ଭର କରନ୍ତି । ମାତ୍ର ଦୀର୍ଘ ୭ ବର୍ଷ ହେଲା ମରାମତି କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଏହି ଜୀବନରେଖା ଏବେ ମୃତ୍ୟୁଯନ୍ତା ପାଲଟିଛି । ପ୍ରତିଦିନ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିଲେ ବି NH କର୍ତ୍ତୃପକ୍ଷ ନିଘୋଡ଼ ନିଦରେ ଶୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ଅନୁଗୋଳ ଦେଇ ଏହି ଏନ୍‌ଏଚ୍‌ ଯାଇଥିଲେ ମଧ୍ୟ ସେ ପାଟି ଫିଟାଉ ନାହାନ୍ତି" ଏପରି କହିବା ସହ ଏନ୍‌ଏଚ୍ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁଆ ମନୋଭାବ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଅପାରଗତା ବିରୋଧରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ବିଜେଡି।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ରାସ୍ତାର ଶୋଚନୀୟ ଅବସ୍ଥା କଥା ଉଠାଇ ବିଜୁ ଜନତା ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି, "NH -୫୫ ଏବେ ଦେଶର ସବୁଠାରୁ ବିପଦସଙ୍କୁଳ ରାଜପଥରେ ପରିଣତ ହୋଇଛି । ଜୀବନକୁ ବାଜି ଲଗାଇ ଲୋକେ ଏହି ରାସ୍ତାରେ ଯା'ଆସ କରୁଛନ୍ତି। ପ୍ରତିଦିନ ସ୍କୁଲ, କଲେଜ ଯାଉଥିବା ହଜାର ହଜାର ଛାତ୍ରଛାତ୍ରୀ ଏହି ରାସ୍ତାରେ ଯିବାକୁ ଭୟ କରୁଛନ୍ତି । ରାସ୍ତାର ଅବସ୍ଥା ଏତେ ଖରାପ ହୋଇଛି ଯେ ୧୫ରୁ ୨୦ ମିନିଟର ରାସ୍ତା ଅତିକ୍ରମ କରିବାକୁ ଦେଢ଼ରୁ ଦୁଇ ଘଣ୍ଟା ସମୟ ଲାଗୁଛି । ଫଳରେ ପିଲାଙ୍କ ପାଠପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି । କେବଳ ସେତିକି ନୁହେଁ, NH -୫୫ ଦେଇ ରୋଗୀଙ୍କୁ ନେଇ ଏସ୍‌ସିବି, ଏମ୍ସ କିମ୍ବା କଟକ, ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲ ଯାଉଥିବା ଆମ୍ବୁଲାନ୍ସଗୁଡ଼ିକ ମଧ୍ୟ ମନ୍ଥର ଗତିରେ ଯାଉଛି କିମ୍ବା ରାସ୍ତା ଜାମ୍‌ରେ ଫସି ଯାଉଛି । ଫଳରେ ବେଳେବେଳେ ଆମ୍ବୁଲାନ୍ସ ଭିତରେ ହିଁ ରୋଗୀଙ୍କ ଜୀବନ ଚାଲିଯାଉଛି ।"

ଏହା ମଧ୍ୟ ପଢନ୍ତୁ...ମଣ୍ଡି ସମସ୍ୟା ନେଇ ପୁଣି ଗର୍ଜିଲା କିଷାନ କଂଗ୍ରେସ, କ୍ବିଣ୍ଟାଲ ପିଛା ୬ଶହ ଟଙ୍କା ବୋନସ ଦାବି


ନିକଟରେ ଅନୁଗୋଳ ଜିଲ୍ଲାର ରୋଡ୍‌ ସେଫ୍‌ଟି କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । କମିଟିର ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ଜାତୀୟ ରାଜପଥ ଅଧିକାରୀଙ୍କୁ ବୈଠକରେ ଉପସ୍ଥିତ ରହିବା ପାଇଁ ଚିଠି ଦେଇଥିଲେ । ଏହି ବୈଠକରେ ଯାତ୍ରୀ ସୁରକ୍ଷା ଏବଂ NH-୫୫ ମରାମତି କେବେ ସରିବ ସେନେଇ ଆଲୋଚନା ହେବାର ଥିଲା । ମାତ୍ର ଏନ୍‌ଏଚ୍ ଅଧିକାରୀମାନେ ବୈଠକକୁ ଆସିଲେ ନାହିଁ । ତେବେ ୧୫ ଦିନ ଭିତରେ NH ମରାମତି କାର୍ଯ୍ୟ ଶେଷ ନହେଲେ NHAI ବିରୋଧରେ ମାମଲା ରୁଜୁ ହେବ ବୋଲି ରୋଡ୍‌ ସେଫ୍‌ଟି କମିଟି ବୈଠକରେ ଚେତାବନୀ ଦିଆଯାଇଛି । ବିଜେଡିର ମିଡିଆ ପ୍ୟାନେଲିଷ୍ଟ ସୋଫିଆ ଆଲାମ୍ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି । "ଧର୍ମେନ୍ଦ୍ର ବାବୁ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ଦୂର କରିବାକୁ କ'ଣ ପାଇଁ କିଛି ଠୋସ୍ ପଦକ୍ଷେପ ନେଉନାହାନ୍ତି ? ୭ ବର୍ଷ ହେଲା ମରାମତି କାର୍ଯ୍ୟ ଚାଲିଥିବାବେଳେ ତୁରନ୍ତ ଏହି କାର୍ଯ୍ୟ ସାରିବାକୁ ଜୋର୍ ଦେଉନାହାନ୍ତି କାହିଁକି?" ସୋଫିଆ ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details