ଭୁବନେଶ୍ବର: ଓଡ଼ିଶା କଂଗ୍ରେସର ପ୍ରଭାରୀ ଦାୟିତ୍ବ ନେବାପରେ ବିଜେଡି ଓ ବିଜେପିକୁ କ୍ରମାଗତ ଟାର୍ଗେଟ୍ କରିବାରେ ଲାଗିଛନ୍ତି ଡଃ ଅଜୟ କୁମାର । ରାଜ୍ୟରେ ଅଣଓଡ଼ିଆଙ୍କ ପ୍ରଭାବ, ଠିକାଦାରୀ, ଶାସନ କ୍ଷମତା ଅଣଓଡ଼ିଆଙ୍କ ହାତରେ ବୋଲି ଅଭିଯୋଗ ଆଣି ସରକାରଙ୍କୁ ବାରମ୍ବାର ଘେରୁଛନ୍ତି ଅଜୟ । ଓଡ଼ିଆଙ୍କ ସ୍ବାଭିମାନ ଓଡ଼ିଆଙ୍କ ହାତରେ ରହିବା କଥା ବୋଲି ସେ କହିଛନ୍ତି । ବିଜେପି ଓ ବିଜେଡିର ଅଘୋଷିତ ମେଣ୍ଟରେ ଓଡ଼ିଶା ଶାସନ ଚାଲିଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଆଜିର କାର୍ଯ୍ୟକର୍ତ୍ତା ବୈଠକରେ ସେ ବିଜେଡି ଓ ବିଜେପି ମଧ୍ୟରେ ଲୋକସଭା ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ମଧ୍ୟ କହିଥିଲେ ଅଜୟ କୁମାର । ସେପଟେ ଏହି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ଜବାବ ଦେଇଛି ବିଜେଡି ।
ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ବିଜେଡି ସରକାର ଓ ପ୍ରମୁଖ ବିରୋଧୀ ବିଜେପିକୁ ଟାର୍ଗେଟ କରି କହିଥିଲେ, "ରାଜ୍ୟରେ ବିଜେଡି ଓ ବିଜେପି ମିଶିକି ଅଛନ୍ତି । ନିର୍ବାଚନ ପାଖେଇଲେ ଦୁଇ ଦଳ ନାଟକ ଜୋରଦାର କରିବେ । ବିଜେପିକୁ ୧୫ ସିଟ୍ ଦେବାକୁ ବୁଝାମଣା କରିଛି ବିଜେଡି । ଆଉ ବାକି ୬ ସିଟ୍ ପାଇଁ କଥାବାର୍ତ୍ତା ଚାଲିଛି । ଏଠାରେ ଏକମାତ୍ର ବିରୋଧୀ ଦଳ ହେଲା କଂଗ୍ରେସ । କଂଗ୍ରେସ ହିଁ ଗରିବ ଲୋକଙ୍କ ସ୍ବର ହୋଇପାରିବ ।" ଓଡ଼ିଶା କଂଗ୍ରେସର ନବନିଯୁକ୍ତ ପ୍ରଭାରୀଙ୍କ ଘନ ଘନ ଆକ୍ରମଣକୁ ହଜମ କରିପାରିନି ବିଜେଡି । ଡଃ ଅଜୟ କୁମାରଙ୍କୁ ସିଧା ସଳଖ ଭୋଟ ଗଣତି କରି ହିସାବ କରିବାକୁ କହିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ ।