ଭୁବନେଶ୍ବର: ସାଢେ ୪ କୋଟି ଓଡିଆଙ୍କ ଅପମାନକୁ ସମର୍ଥନ କରୁଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶାର ଆଇନ ଶୃଙ୍ଖଳା ସ୍ଥିତି ବହୁତ ଭଲ ଅଛି । ହତ୍ୟା, ଧର୍ଷଣ ଭଳି ଜଘନ୍ୟ ଅପରାଧ ବିଜେପି ଶାସିତ ରାଜ୍ୟରେ ଅଧିକ ରହିଛି । ସମ୍ବଲପୁର ଘଟଣାକୁ ନେଇ ବନ୍ଦ ଡାକରାକୁ ସମର୍ଥନ ଅପରାଜିତାଙ୍କ ଉସୁକାଇବା ମାନସିକତାକୁ ପଦାରେ ପକାଇଛି । ଏହା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।
ଏହାବି ପଢନ୍ତୁ- Battle For Karnataka: ତିନି ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ ଅମିତ ଶାହ
ଶ୍ରୀମୟୀ କହିଛନ୍ତି ଯେ, ଅମେ ଯାହା ଭାବୁଥିଲୁ ଶେଷରେ ସେୟାହିଁ ହିଁ ହେଲା। କିଛିଦିନ ହେବ ବିଜେପି ଓଡିଶା ଶାଖାର ନେତାମାନେ ସାଢ଼େ 4 କୋଟି ଓଡ଼ିଆ ଲୋକଙ୍କୁ ଆଇନହୀନ ମଣିଷ ବୋଲି ସମ୍ବୋଧନ କରିଥିଲେ । ଅପମାନିତ କରିଛନ୍ତି । କେଉଁଠି ନା କେଉଁଠି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାକୁ ସମର୍ଥନ ଦେଇଛନ୍ତି । କଥାରେ ଅଛି ମୌନେ ସମ୍ମତି ଲକ୍ଷଣ । ଏହି ନିୟମ ଭଳି ମ୍ୟାଡାମ ଏଭଳି ପ୍ରସଙ୍ଗରେ ସମର୍ଥନ କରିଛନ୍ତି । ତାଙ୍କର ନୀରବତାହିଁ ବୟାନ କରୁଛି ଓଡିଶାବାସୀଙ୍କ ପ୍ରତି ତାଙ୍କର ଓ ବିଜେପିର କେତେ ସମ୍ମାନ ରହିଛି ।
NCRBର ଶେଷ ରିପୋର୍ଟକୁ ସାଂସଦ ଅପରାଜିତା ଷଡଙ୍ଗୀ ବୋଧେ ପଢିନାହାନ୍ତି । କିମ୍ବା ଜାଣିଶୁଣି ନଜାଣିବା ଭଳି ଅଭିନୟ କରୁଛନ୍ତି । ଯଦି ରିପୋର୍ଟକୁ ସେ ତର୍ଜମା ବା ବିଶ୍ଳେଷଣ କରିଥାନ୍ତେ ତେବେ ସେ ଜାଣିପାରିଥାନ୍ତେ ମହିଳାଙ୍କ ପ୍ରତି ଅସଦାଚରଣ ଓ ହତ୍ୟା ଭଳି ଅପରାଧୀଙ୍କ କାର୍ଯ୍ୟରେ ବିଜେପି ଶାସିତ ରାଜ୍ୟରେ ଅଧିକ ହେଉଛି । ସତ୍ୟାସତ୍ୟକୁ ନଜାଣି ଲୋକଙ୍କୁ ଭୁଆଁ ବୁଲେଇଲା ଭଳି ମନ୍ତବ୍ୟ ଦେବା ଗ୍ରହଣୀୟ ନୁହେଁ । NCRBର ରିପୋର୍ଟ ଅନୁସାରେ ବିଜେପି ଶାସିତ ଉତ୍ତର ପ୍ରଦେଶ, ହରିଆଣା, ମଧ୍ୟ ପ୍ରଦେଶ, ଆସାମ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟ ଗୁଡିକରେ ମହିଳାଙ୍କ ସହିତ ଅସଦାଚରଣ ମାମଲା ରେକର୍ଡ ବହୁ ଆଗରେ ରହିଛି ।