ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାମ କମ କରନ୍ତି । ନିଜର ପ୍ରଚାର ଅଧିକ କରନ୍ତି । ନିଜର ପ୍ରଚାର ପାଇଁ ସେ ବ୍ୟାକୁଳ ଥାନ୍ତି । ଏକଥା କେବଳ ଆମେ ନୁହେଁ, ବିଜେପିର ଗୋଟେ ବଡ଼ ଗୋଷ୍ଠୀ ଏ କଥାକୁ ବିଶ୍ବାସ କରନ୍ତି । ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଏହା ସହ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଠାରୁ କାମ ଶିଖିବାକୁ କହି ଧର୍ମେନ୍ଦ୍ରଙ୍କ କଟା ଘା'ରେ ଚୂନ ମାରିଛନ୍ତି ଲେନିନ ।
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ଯେଉଁ ପ୍ରସଙ୍ଗ ଓଡିଶା ସହ ସମ୍ପୃକ୍ତ ଥାଏ, ସେ ବିଷୟ ଗୁଡିକରେ କେନ୍ଦ୍ରମନ୍ତ୍ରୀ ପ୍ରଚାର ଉପରେ ଗୁରୁତ୍ବ ଦେଇଥାନ୍ତି । କାମ ଉପରେ ତାଙ୍କର ନଜର ଥାଏ । ଏ ସଂକ୍ରାନ୍ତରେ ସର୍ବଶେଷ ଉଦାହରଣ ହେଉଛି କପିଳେଶ୍ବର ମନ୍ଦିର ପ୍ରସଙ୍ଗ । ମେ ୫ ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଥିଲେ ଯେ ସପ୍ତମ ଶତାବ୍ଦୀର ପ୍ରଭୁ କପିଳେଶ୍ବର ମନ୍ଦିରର ରକ୍ଷଣାବେକ୍ଷଣ ଏଏସଆଇ ଦ୍ବାରା ହାତକୁ ନିଆଯିବ । ତେବେ ମେ ୯ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏକ ଚିଠି ଲେଖି କପିଳେଶ୍ବର ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ନେବାକୁ ଏଏସଆଇକୁ ଅନୁରୋଧ କରିଛନ୍ତି । ଟ୍ବିଟ କରି ଗଣମାଧ୍ୟମରେ ଏହାର ଜୋରଦାର ପ୍ରଚାର କଲେ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁଣି ଥରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଚିଠି ଲେଖୁଛନ୍ତି, ଏହି ପ୍ରସଙ୍ଗରେ ଏବେ ସମସ୍ତେ ହସୁଛନ୍ତି ।