ଓଡିଶା

odisha

ରାଜନୈତିକ ଫାଇଦା ନଥିଲେ ପାଟି ଖୋଲନ୍ତିନି ବିଜେପି ନେତା: ବିଜେଡି

By

Published : Apr 29, 2023, 9:30 AM IST

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେପି ନେତାଙ୍କୁ ଘେରିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । କହିଲେ ରାଜନୈତିକ ଫାଇଦା ନଥିଲେ ବିଜେପି ନେତା ପାଟି ଖୋଲନ୍ତି ନାହିଁ । ଅଧିକ ପଢନ୍ତୁ

ବିଜେଡି ମୁଖପାତ୍ର ଲେଲିନ ମହାନ୍ତିଙ୍କ ପ୍ରେସମିଟ୍
ବିଜେଡି ମୁଖପାତ୍ର ଲେଲିନ ମହାନ୍ତିଙ୍କ ପ୍ରେସମିଟ୍

ବିଜେଡି ମୁଖପାତ୍ର ଲେଲିନ ମହାନ୍ତିଙ୍କ ପ୍ରେସମିଟ୍

ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେପିକୁ ଘେରିଲା ବିଜେଡି । ଓଡ଼ିଶା ବିଜେପି ନେତା ଏବଂ ଏହାର କେନ୍ଦ୍ରମନ୍ତ୍ରୀ ରାଜନୈତକ ଫାଇଦା ନଥିଲେ କଥା ହୁଅନ୍ତି ନାହିଁ । ଯେତେବେଳେ ଓଡ଼ିଶା କିମ୍ବା ସାଢେ ୪ କୋଟି ଓଡିଆଙ୍କ ସ୍ୱାର୍ଥ କଥା ଆସେ, ସେତେବେଳେ ବିଜେପି କଦାପି ରାଜ୍ୟ ପାଇଁ ଲଢେଇ କରୁଥିବା ଦେଖାଯାଏ ନାହିଁ ବରଂ ଯଦି ରାଜନୈତିକ ଦୃଷ୍ଟିରୁ ଲାଭ ଥାଏ ତାହାହେଲେ ବିଜେପି ନେତା ତଥା କେନ୍ଦ୍ରରେ ଥିବା ଓଡିଆ ମନ୍ତ୍ରୀମାନେ ଓଡ଼ିଶାକୁ ଅଧିକ କ୍ଷତି ପହଞ୍ଚାଇବାକୁ ପଛାଇ ନଥାନ୍ତି । ଜଳ ବିବାଦ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରି ଏପରି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଲେନିନ କହିଛନ୍ତି ଯେ, ବିଜେପି ନେତାଙ୍କ ଓଡ଼ିଶା ବିରୋଧୀ ମାନସିକତାର ଏକ ଜୀବନ୍ତ ଉଦାହରଣ ୨୦୧୮ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଦେଖିବାକୁ ମିଳିଥିଲା । ଛତିଶଗଡ ବିଜେପି ସରକାର ମହାନଦୀ ଉପରେ ବେଆଇନ ଭାବେ ବ୍ୟାରେଜ ନିର୍ମାଣ କରୁଥିଲେ । ୨୦୧୮ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଥିବା ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀ ସେତେବେଳେ ଓଡ଼ିଶା ସପକ୍ଷରେ ଛିଡା ହେଲେ ନାହିଁ ବରଂ ଛତିଶଗଡ ସରକାରଙ୍କ ବେଆଇନ କାର୍ଯ୍ୟ ବିରୁଦ୍ଧରେ କହିବା ପରିବର୍ତ୍ତେ ସେ ତାଙ୍କର ପକ୍ଷ ରଖିଥିଲେ ।

ଏହାସହିତ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଧ୍ୟ ସେ ଓଡ଼ିଶା ବିରୋଧରେ ପକ୍ଷ ରଖିଥିଲେ । ବୈଠକରେ ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀ ବିଜେପି ସରକାର ଓ ଛତିଶଗଡର ପକ୍ଷ ରଖିଥିଲେ ଏବଂ ଓଡିଶାର ସ୍ୱାର୍ଥ ବିରୋଧରେ ଥିଲେ । ଏହାପରେ ଓଡି଼ଶା ମହାନଦୀ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ସ୍ଥିର କଲା । ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହେଲା । ସେତେବେଳେ ରାଜ୍ୟ ବିଜେପି ଏହାକୁ ବିରୋଧ କରି ସେମାନଙ୍କର ଓଡ଼ିଶା ବିରୋଧି ମାନସିକତାକୁ ପ୍ରକାଶ କଲା ।

ଏଭଳି ମନୋଭାବ ଯୋଗୁଁ ୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୨୨ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଓଡ଼ିଶା ବିଜେପି ଉଚିତ ଜବାବ ପାଇଥିଲେ । ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ବିଜେପିକୁ ରାଜ୍ୟବାସୀ ପରାସ୍ତ କରିଥିଲେ । ବିଜୁ ଜନତା ଦଳକୁ ବିଜୟୀ କରାଇବା ସହିତ ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିଲେ । ବିଜେପି ରାଜ୍ୟବାସୀଙ୍କୁ ଆଇନହୀନ ବୋଲି କହି ଅପମାନିତ କରିଛି । ସମ୍ବଲପୁରରେ ଶାନ୍ତି ଫେରିଛି । ହେଲେ ବିଜେପି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ବିଜେପି ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠନ କରିଛି । ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ଘଟିଥିବା ଧାରାବାହିକ ଦଙ୍ଗାକୁ ଦେଖିବା ପାଇଁ ବିଜେପି ଏହାର ତଥ୍ୟ ଅନୁସନ୍ଧାନକାରୀ ଦଳ ପଠାଇଥିଲେ ଠିକ ହୋଇଥାନ୍ତା । ଓଡିଶାର ଲୋକମାନେ ଶାନ୍ତିପ୍ରିୟ । ଏହି ମନୋଭାବ ପାଇଁ ଓଡିଶା ବିଜେପିକୁ ରାଜ୍ୟବାସୀ କଦାପି କ୍ଷମା କରିବେ ନାହିଁ କହିଛନ୍ତି ଲେନିନ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details