ଭୁବନେଶ୍ବର:କଂଗ୍ରେସରେ ଯୋଗଦେବା ପରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ପାୱାର କରିଡରର ସବୁଠୁ ଉଚ୍ଚତମ ସ୍ଥାନ କୁହାଯାଉଥିବା ଥାର୍ଡ ଫ୍ଲୋରକୁ ଟାର୍ଗେଟ କରିଛନ୍ତି । ତେବେ ନବୀନ ସରକାରରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥବା ବିଜୟ କାହିଁକି ଏତେ ଖପ୍ପା ବୋଲି ପ୍ରଶ୍ନ ଉଠିଛି । ଅନ୍ୟପଟେ ବିଜୟଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ବିଜୟ ରାଜ୍ୟସଭାକୁ ଯିବାକୁ ଚାହୁଁଥିଲେ, ମାତ୍ର ସୁଯୋଗ ନ ମିଳିବାରୁ ସେ ଏପରି କହିଛନ୍ତି ।
ନବୀନ ସରକାରଙ୍କ ସହ ବିଜୟ ଗତ ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ ଏବଂ ପରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଉଥିଲେ । କଂଗ୍ରେସରେ ଯୋଗଦାନ ପରେ ବିଜୟ ସାମ୍ବାଦିକ ସମ୍ମିଳନୀରେ ସରକାରୀ କଳର ଉପର ମହଲାକୁ ଟାର୍ଗେଟ କରିଥିଲେ । ଏନେଇ ପ୍ରତିକ୍ରିୟା ରଖି ବିଜେଡିର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ଯେହେତୁ ବିଜେଡିରୁ ରାଜ୍ୟସଭାକୁ ଯିବାକୁ ଚାହୁଁଥିଲେ ବିଜୟ ପଟ୍ଟନାୟକ, ସେଥିପାଇଁ ଏଭଳି ମନ୍ତବ୍ୟ ଦେଇଛନ୍ତି ।" ତେବେ ଏଠି ପ୍ରଶ୍ନ ଉଠୁଛି ତୃତୀୟ ମହଲାରେ ଏମିତି କଣ ଘଟିଲା ଯାହାକୁ ନେଇକି ବିଜୟଙ୍କ ମନ ଭିତରେ ଏମିତି କ୍ଷୋଭ । ସରକାରରେ ଦୀର୍ଘଦିନ କାମ କରୁଥିବା କର୍ମଚାରୀ ଯେତେବେଳେ ସରକାରରୁ ବାହାରି ଆସି ଏଭଳି ମନ୍ତବ୍ୟ ଦେଇଥାଏ ସେ ନେଇ ଚର୍ଚ୍ଚା ହେବା ସ୍ବାଭାବିକ ।
ଗତ ମେ ୨୯ ଘଟଣା ପୂର୍ବରୁ ନବୀନ ଆଉ ତତ୍କାଳୀନ ସରକାରକୁ ଚଳାଉଥିବା ପ୍ୟାରୀଙ୍କ ମଧ୍ୟରେ ଯେଉଁ ଫାଟ ସୃଷ୍ଟି ହୋଇଥିଲା ତାର ମୁଖ୍ୟ ବିନ୍ଧାଣି ବିଜୟ ପଟ୍ଟନାୟକ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ତେବେ ସେତେବେଳେର ମୁଖ୍ୟ ବିନ୍ଧାଣି ଥିବା ବିଜୟ ପଟ୍ଟନାୟକଙ୍କୁ ହଠାତ ଥାର୍ଡଫ୍ଲୋର ଏମିତି ନାପସନ୍ଦ ହେଲା କାହିଁକି ତାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ଯେ ବିଜୟବାବୁ ଜଣେ ଉଚ୍ଚକୋଟୀର, ବୁଦ୍ଧିମାନ ମଣିଷ । ଗତକାଲି ବିଜେଡି ସରକାରଙ୍କ ଉଦ୍ଦେଶ୍ୟରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ପ୍ରଯୁଜ୍ୟ । 5T ସରକାରୀ ଯୋଜନାର ଭୁଲ ପରିଚାଳନାକୁ ସେ ଦେଖିଛନ୍ତି । ତେଣୁ ସେ ଇସାରା କରିଛନ୍ତି ।
ଏହା ବି ପଢନ୍ତୁ- ଫୋକସରେ ଆମ ହସ୍ପିଟାଲ ଯୋଜନା, ଡାକ୍ତର ପଦବୀ ପୂରଣ ନେଇ ନିଆଯାଉଛି ପଦକ୍ଷେପ